ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ଏକ ବଡ଼ ଧରଣର ଆଣ୍ଟି-ଡ୍ରଗ୍ସ ଅପରେସନ କରି ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର କରିଛି। ବୁଧବାର ସକାଳେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ହୋଇଥିବା ଏହି ଗୁଳିବିନିମୟରେ ଅଭିଯୁକ୍ତ ପାପୁନ୍ ମାଝୀ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ପୋଲିସ ସୂଚନା ଅନୁଯାୟୀ, ପାପୁନ୍ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ବଡ଼ ନିଶା କାରବାରୀ।

ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଅରିଶୋଲ ନିକଟରେ ପାପୁନ୍ କୌଣସି ବେଆଇନ ଡ୍ରଗ୍ସ କାରବାର ପାଇଁ ଆସିଥିବା ନେଇ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍‌କୁ ଗୁପ୍ତ ସୂଚନା ମିଳିଥିଲା। ଏହି ଆଧାରରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ପାପୁନ୍ ଖସି ପଳାଇବାକୁ ଚେଷ୍ଟା କରିବା ସହ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ନିଜ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇବାରୁ ସେ ଆହତ ହୋଇଥିଲା।

ଗିରଫ ପରେ ପାପୁନ୍‌କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାକୁ କଟକ ଏସସିବି (SCB) ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଓଡ଼ିଶାରେ ସଂଗଠିତ ନିଶା କାରବାର ନେଟୱର୍କ ସହ ତା’ର କିଭଳି ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ବିସ୍ତୃତ ତଦନ୍ତ ଚଳାଇଛି।