ବିଷମକଟକ: ରାୟଗଡ଼ା ଜିଲ୍ଲାର ବିଷମକଟକ ସରକାରୀ ଉଚ୍ଚବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଶୁକ୍ରବାର ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଆୟୋଜିତ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନ ବିରତି ସମୟରେ କିଛି ଛାତ୍ର ବିଦ୍ୟାଳୟ ପରିସର ବାହାରେ ଅନ୍ୟ ଛାତ୍ରମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଛାତ୍ର ଆହତ ହୋଇଥିଲେ।
ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡ ଫାଟିଯାଇଥିବାରୁ ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାର ଖବର ପାଇ ବିଷମକଟକ ପୁଲିସ ମେଡିକାଲରେ ପହଞ୍ଚି ଆହତ ଛାତ୍ରମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ କହିଛନ୍ତି ଯେ, କିଛି ଛାତ୍ର ନିୟମିତ ଭାବେ ବିଦ୍ୟାଳୟ ଭିତରେ ଓ ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, କେତେକ ଛାତ୍ର ନିଶାସେବନ କରି ବିଦ୍ୟାଳୟକୁ ଆସୁଥିବାରୁ ପାଠପଢ଼ା ପରିବେଶ ପ୍ରଭାବିତ ହେଉଛି। ଏନେଇ ଅଭିଭାବକମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଆଶାନୁରୂପ ସହଯୋଗ ମିଳୁନାହିଁ ବୋଲି ସେ କହିଛନ୍ତି।
ପ୍ରଧାନ ଶିକ୍ଷକ ଆହୁରି କହିଛନ୍ତି ଯେ, ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର ଦଣ୍ଡାତ୍ମକ ବ୍ୟବସ୍ଥା ନେବାର ସୁଯୋଗ ସୀମିତ ରହିଛି, ଯାହା ଶୃଙ୍ଖଳା ରକ୍ଷାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
ଏହି ଘଟଣାକୁ ଜିଲ୍ଲା ଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇଥିବାବେଳେ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ଶିକ୍ଷା ପରିବେଶ ସୁନିଶ୍ଚିତ କରିବାକୁ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ଉଠିଛି।




