ଭଦ୍ରକ: ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ହଦଗଡ଼ ଜଳ ପ୍ରକଳ୍ପର ଫାଟକ ଖୋଲିବା ପରେ ସାଳନ୍ଦୀ ନଦୀର ବନ୍ୟାଜଳ ଭଦ୍ରକ ବ୍ଲକ୍ର ବିଭିନ୍ନ ଅଞ୍ଚଳକୁ ଜଳମଗ୍ନ କରିଦେଇଛି। ବନ୍ୟାଜଳ ପ୍ରବାହିତ ହେବା ଫଳରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧାରୁ ଅଧିକ ଅଞ୍ଚଳ ଓ ପ୍ରାୟ ୮ରୁ ୧୦ଟି ଗ୍ରାମ ପଞ୍ଚାୟତରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସଙ୍କଟଜନକ ସମୟରେ ବନ୍ୟା ବିପନ୍ନଙ୍କ ନିକଟରେ ସରକାରୀ ରିଲିଫ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍ ଭାବେ ପହଞ୍ଚି ନପାରିବା ଏବଂ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।
ଏହି ସମସ୍ୟାର ସମାଧାନ ଏବଂ ବନ୍ୟା ପରବର୍ତ୍ତୀ ସହାୟତା ପାଇଁ ଆଜି ଭଦ୍ରକ ବ୍ଲକ୍ ବିଜୁ ଜନତା ଦଳ (BJD) ପକ୍ଷରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ଶତାଧିକ ନେତା ଓ କର୍ମୀ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ତଥା ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ଯୋଗେନ୍ଦ୍ର ଘଡ଼େଇ, ମହିଳା ନେତ୍ରୀ ଦେବୀଦତ୍ତା ମହାନ୍ତି ଓ ରୁନୁ ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ ଅନେକ ଅସହାୟ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ପଲିଥିନ୍ କିମ୍ବା ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ।
ଦାବିପତ୍ରରେ ଦର୍ଶାଯାଇଛି ଯେ, ବନ୍ୟା ଯୋଗୁଁ ଭଦ୍ରକ ବ୍ଲକ୍ରେ ପ୍ରାୟ ୧୫ ହଜାର ହେକ୍ଟରରୁ ଅଧିକ ଚାଷଜମି ପ୍ରଭାବିତ ହୋଇଥିବା ବେଳେ ୩୦ ହେକ୍ଟର ଜମିରେ ତଳି ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ କଚ୍ଚା ଘର ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା, କ୍ଷତିଗ୍ରସ୍ତ ଚାଷଜମିର ସର୍ଭେ କରିବା ଏବଂ ଚାଷୀଙ୍କୁ ତୁରନ୍ତ ବିହନ ଯୋଗାଇଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।




