ଭୁବନେଶ୍ୱର: ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିସନ ରିପୋର୍ଟ ଗାୟବ ହେବା ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ । ଏହି ମୁଦ୍ଦାକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚରମ ସୀମାରେ ପହଞ୍ଚିଛି । ବିଜେପିର ସଙ୍ଗୀନ ଅଭିଯୋଗ ଉପରେ ପାଲଟା ଆକ୍ରମଣ କରି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଆଜି (ଶୁକ୍ରବାର) ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସରକାର ନିଜେ ଫାଇଲ୍ ନ ଖୋଜି କେବଳ ରାଜନୈତିକ ଡ୍ରାମା କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ସେ କହିଛନ୍ତି ଯେ, ଗତକାଲି ବିଜେପି ନେତାମାନେ ପ୍ରେସ୍ମିଟ୍ କରି କେବଳ ମନଗଢ଼ା କଥା ଗପିଛନ୍ତି । ଏହା ସହ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, “ଏଠି ସବୁଠାରୁ ବିଚିତ୍ର କଥା ହେଉଛି ଫାଇଲ୍ ହଜିବା ପ୍ରସଙ୍ଗ ଗୃହ ମନ୍ତ୍ରାଳୟ ଜାଣିବା ଆଗରୁ ଆଇନ ମନ୍ତ୍ରାଳୟ କେମିତି ଆଗ ଜାଣିପାରିଲା ?”
କମିସନ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଗାୟବ ହେବା କଥାକୁ ପ୍ରତ୍ୟାଖ୍ୟାନ କରି ବିଜେଡି ସ୍ପଷ୍ଟ କରିଛି ଯେ, କୌଣସି ବି କମିସନ ରିପୋର୍ଟର ଦୁଇରୁ ତିନୋଟି କପି ପ୍ରସ୍ତୁତ କରାଯାଇଥାଏ । ଏହା ବ୍ୟତୀତ:
- ୨୦୧୦ ମସିହା ପରଠାରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍କୁ ওଶ୍ୱାସ (OSWAS) ପୋର୍ଟାଲ୍କୁ ପଠାଯାଇଛି ।
- ତେଣୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟର ଡିଜିଟାଲ୍ କିମ୍ବା ସଫ୍ଟ କପି ସରକାରଙ୍କ ପାଖରେ ସୁରକ୍ଷିତ ଥିବା ନିଶ୍ଚିତ ।
ବିଜେପିକୁ ବିଜେଡିର ଓପନ୍ ଚ୍ୟାଲେଞ୍ଜ
ବିଜେପିକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ ଲେଲିନ ମହାନ୍ତି କହିଛନ୍ତି, ଯଦି ସରକାରଙ୍କ ପାଖରେ ଏ ସମ୍ପର୍କିତ କୌଣସି ଚିଠି କିମ୍ବା ପ୍ରମାଣ ଅଛି, ତେବେ ତାକୁ ତୁରନ୍ତ ସାର୍ବଜନୀନ କରାଯାଉ । ଜନସାଧାରଣଙ୍କ ସାମ୍ନାରେ ସତ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ପ୍ରସଙ୍ଗକୁ ବାଟବଣା କରିବାକୁ ଚେଷ୍ଟା କରୁଛି ।
“ଫାଇଲ୍ ହଜାଇବା ଓ କାନ୍ଦିବା ହିଁ ବିଜେପିର ଉପଲବ୍ଧି: “ ଶେଷରେ ଲେଲିନ ମହାନ୍ତି ଶାସକ ଦଳକୁ ବ୍ୟଙ୍ଗ କରି କହିଛନ୍ତି, ବୋଧହୁଏ ଫାଇଲ୍ ହଜାଇବା ଏବଂ ତାକୁ ନେଇ କାନ୍ଦିବା ହିଁ ବିଜେପି ସରକାରର ଦୁଇ ବର୍ଷର ସବୁଠାରୁ ବଡ଼ ‘ଉପଲବ୍ଧି’ । ରାଜ୍ୟର ଅସଲ ଓ ମୁଖ୍ୟ ପ୍ରସଙ୍ଗରୁ ଜନସାଧାରଣଙ୍କ ନଜର ହଟାଇବା ପାଇଁ ସରକାର ଏଭଳି ଏକ ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରୁଥିବା ବିଜେଡି ଅଭିଯୋଗ କରିଛି ।




