ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ସହରର ଗୁପଚୁପ୍ ପ୍ରେମୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ସ୍ୱତନ୍ତ୍ର ‘ଗୁପଚୁପ୍ ବଜାର’ ପ୍ରତିଷ୍ଠା କରିବାକୁ ଯାଉଛି। ଏଥିପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE) ସମ୍ମୁଖ ରାସ୍ତା କଡ଼ରେ ଏହି ସ୍ୱତନ୍ତ୍ର ମାର୍କେଟ୍ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ବଜାର ପାଇଁ ନିର୍ଦ୍ଧାରିତ ସ୍ଥାନରେ ପେଭର ବ୍ଲକ୍ ଏବଂ ଆକର୍ଷଣୀୟ ଆଲୋକୀକରଣ ବ୍ୟବସ୍ଥା କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ଏହା ଏକ ଭେଣ୍ଡିଂ ଜୋନ୍ ଶୈଳୀରେ ବିକଶିତ କରାଯିବ, ଯେଉଁଠାରେ ବ୍ୟବସାୟୀମାନେ ଶୃଙ୍ଖଳିତ ଭାବେ ବ୍ୟବସାୟ କରିପାରିବେ।

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୩୦ ରୁ ୪୦ ଜଣ ବ୍ୟବସାୟୀଙ୍କୁ ଏଠାରେ ସ୍ଥାନ ଦିଆଯିବ।ବ୍ୟବସାୟୀଙ୍କୁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଟ୍ରଲି ପ୍ରଦାନ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୮୦ରୁ ଅଧିକ ଟ୍ରଲି କିଣାଯାଇ ସାରିଛି। ବର୍ତ୍ତମାନ ସହୀଦ ନଗର, ନିକୋ ପାର୍କ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ବ୍ୟବସାୟୀଙ୍କୁ ଏହି ନୂତନ ବଜାରକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି।

ଏହି ବଜାର କାର୍ଯ୍ୟକ୍ଷମ ହେଲେ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାରର ଗୁପଚୁପ୍ ଆଇଟମ୍ ଉପଲବ୍ଧ ହେବ। ତେବେ ଏହି ସୁବିଧା ବ୍ୟବହାର କରିବା ପାଇଁ ବ୍ୟବସାୟୀଙ୍କୁ କେତେ ଶୁଳ୍କ ଦେବାକୁ ପଡ଼ିବ, ସେ ନେଇ ବିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।