ବ୍ରହ୍ମପୁର: ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ଗିରି ରୋଡ୍‌ରେ ରବିବାର ସନ୍ଧ୍ୟାରେ ଏକ ଗୋଷ୍ଠୀବଦ୍ଧ ଆକ୍ରମଣ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଯୋଜନାବଦ୍ଧ ସ୍ଵରୂପ ଜଣେ ଯୁବକ ଓ ତାଙ୍କ ଭାବି ପତ୍ନୀଙ୍କୁ ବାଉଁଶ ଲାଠିରେ ନିର୍ମମ ଭାବେ ପିଟିଛନ୍ତି ଦୁର୍ବୃତ୍ତ। ଏହି ମାମଲାରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ତତ୍ପରତା ଦେଖାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ନଗର ୪ର୍ଥ ଲେନ୍‌ର ରାଜ୍ ମାଲହୋତ୍ରା (୨୧) ଏବଂ ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୬ଷ୍ଠ ଲେନ୍‌ର ଲିଙ୍ଗରାଜ ସାମଲ ଓରଫ ରିଙ୍କୁ (୨୪)। ସେମାନଙ୍କ ନିକଟରୁ ଦୁଇଟି ସ୍କୁଟର, ଏକ ବାଉଁଶ ଲାଠି ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଘଟଣା ମୁତାବକ, ଗତ ମେ’ ୧୮ ତାରିଖ ରାତି ପ୍ରାୟ ୮:୩୦ ସମୟରେ ଗଜପତି ନଗରର ଉମେଶ ରଥ (୨୩) ଏବଂ ତାଙ୍କ ଭାବି ପତ୍ନୀ ଗାୟତ୍ରୀ ପାତ୍ର ଗିରି ରୋଡ୍‌ରେ ଚାଲି ଚାଲି ଯାଉଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଘେରି ଯାଇଥିଲେ। କିଛି ବୁଝିବା ପୂର୍ବରୁ ସେମାନେ ଉମେଶଙ୍କୁ ବାଉଁଶ ଲାଠିରେ ଆଖିବୁଜା ପିଟିବା ଆରମ୍ଭ କରିଥିଲେ। ଉମେଶଙ୍କୁ ବଞ୍ଚାଇବାକୁ ଯାଇ ଗାୟତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଆକ୍ରମଣରେ ଉମେଶଙ୍କ ଉଭୟ ଗୋଡ଼ ଭାଙ୍ଗି ଯାଇଛି।ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଉମେଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଉମେଶଙ୍କ ମାଆ ଅମୂଲ୍ୟ କୁମାରୀ ରଥ (୪୭)ଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ଟାଉନ୍ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ର ସମ୍ପୃକ୍ତ ଦଫାରେ ମାମଲା (ନଂ-୧୯୮, ତା ୧୯.୦୫.୨୦୨୬) ରୁଜୁ ହୋଇଥିଲା। “ରାଜ୍ ମାଲହୋତ୍ରା ସେହି ସ୍ଥାନରେ ଉପସ୍ଥିତ ରହି ଆକ୍ରମଣକାରୀଙ୍କୁ ସହଯୋଗ କରୁଥିବା ବେଳେ, ରିଙ୍କୁ ସମ୍ପୂର୍ଣ୍ଣ ଆକ୍ରମଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏବଂ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର ହେବାରେ ସାହାଯ୍ୟ କରି ଆଶ୍ରୟ ଦେଇଥିଲା,” ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ ଆହତ ଉମେଶ ରଥଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି। ଅପରପକ୍ଷରେ ଗିରଫ ଦୁଇ ଯୁବକ ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧୀ।

ରାଜ୍ ମାଲହୋତ୍ରା: ବିଏନ୍ ପୁର ଥାନାରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଆଇନ ସହ ୨ଟି ସଙ୍ଗିନ ମାମଲା।

ଲିଙ୍ଗରାଜ ସାମଲ (ରିଙ୍କୁ): ବିଏନ୍ ପୁର ଏବଂ ବଡ଼ବଜାର ଥାନାରେ ଏକାଧିକ ମାମଲା।

ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।