ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସ୍ପର୍ଶକାତର ଓ ହୃଦୟବିଦାରକ କାଣ୍ଡ ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଗାଡ଼ିରୁ ଟାଣିନେଇ ସଂଘବଦ୍ଧ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ବର୍ବରକାଣ୍ଡ ଘଟଣାରେ କଟକ ଗ୍ରାମାଞ୍ଚଳ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ଜଣକ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ କାର୍‌ ଯୋଗେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ୩ଟାରୁ ୩ଟା ୩୦ ମଧ୍ୟରେ କଟକ-ଚାନ୍ଦବାଲି ରୋଡ୍‌ସ୍ଥିତ ସୁକରପଡ଼ା ପୋଷ୍ଟ ଅଫିସ୍‌ ନିକଟରେ ୬ ଜଣ ଦୁର୍ବୃତ୍ତ ତାଙ୍କ କାର୍‌କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ କାର୍‌ର କାଚ ଭାଙ୍ଗି ଯୁବତୀଙ୍କ ବନ୍ଧୁଙ୍କୁ ମାଡ଼ପିଟ୍‌ କରିବା ସହ ଭୟଭୀତ କରିଥିଲେ। ଏହାପରେ ଯୁବତୀଙ୍କୁ ଜୋରଜବରଦସ୍ତ ଟାଣିନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ସଂଘବଦ୍ଧ ବଳାତ୍କାର କରିଥିଲେ।

ଏହି ଅମାନୁଷିକ ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଭୟଭୀତ ଅବସ୍ଥାରେ ପୀଡ଼ିତା ଯୁବତୀ ଜଣକ ବୁଧବାର ସକାଳେ ନିଶ୍ଚିନ୍ତକୋଇଲି ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ପୀଡ଼ିତାଙ୍କର ମେଡିକାଲ ପରୀକ୍ଷା କରାଇଛି। ଏଥିସହିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା ୧୮୦ ଅନୁଯାୟୀ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।

ଘଟଣାରେ ବ୍ୟବହୃତ ଏକ ବାଇକ୍‌ ଏବଂ ଏକ ଟାଟା ଏସ୍‌ ଗାଡ଼ିକୁ ପୋଲିସ ଜବତ କରିଛି। ଅଟକ ୫ ଜଣଙ୍କୁ ପଚରାଉଚୁରା କରାଯାଉଥିବା ବେଳେ ଫେରାର ଥିବା ଷଷ୍ଠ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ଏବଂ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଇଛି।