ଭୁବନେଶ୍ୱର: ସାଇବର ଠକମାନଙ୍କୁ ଚେକ୍ ଦେବା ଏବଂ ଅନଲାଇନ୍ ଆର୍ଥିକ ପ୍ରତାରଣାର ଶିକାର ହେଉଥିବା ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ରାଜ୍ୟରେ ଅତ୍ୟାଧୁନିକ ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ବୈଷୟିକ ବ୍ୟବସ୍ଥା ଦ୍ୱାରା ଅନଲାଇନ୍ ଆର୍ଥିକ ଠକେଇ ଅଭିଯୋଗର ଦ୍ରୁତ ଯାଞ୍ଚ ଏବଂ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହଜ ହୋଇପାରିବ।
ସାରା ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଏହି ନୂତନ ବ୍ୟବସ୍ଥାରେ ଜାତୀୟ ସାଇବର କ୍ରାଇମ ହେଲ୍ପଲାଇନ (1930) କୁ ଓଡ଼ିଶାର ‘କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ଆଣ୍ଡ ସିଷ୍ଟମ’ ସହିତ ସଂଯୋଗ କରାଯାଇଛି।
କେମିତି କାମ କରିବ ଏହି ବ୍ୟବସ୍ଥା?
- ୧୦ ଲକ୍ଷରୁ ଅଧିକ ଠକେଇ: ଯଦି କୌଣସି ବ୍ୟକ୍ତି ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପରିମାଣର ଆର୍ଥିକ ଠକେଇର ଶିକାର ହୋଇ ୧୯୩୦ ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରନ୍ତି, ତେବେ CCTNS ମାଧ୍ୟମରେ ସ୍ୱତଃପ୍ରବୃତ୍ତ ଭାବେ ଏକ ‘ଇ-ଜିରୋ ଏଫ୍ଆଇଆର୍’ (e-Zero FIR) ଅନୁରୋଧ ସୃଷ୍ଟି ହେବ।
- କ୍ରାଇମବ୍ରାଞ୍ଚ୍ ଯାଞ୍ଚ: ଏହି ଅନୁରୋଧ ସିଧାସଳଖ କ୍ରାଇମବ୍ରାଞ୍ଚର ସାଇବର ପୁଲିସ ଷ୍ଟେସନ ନିକଟକୁ ପଠାଯିବ। ସେଠାରେ ଅଧିକାରୀମାନେ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି ନିୟମିତ FIR ରୁଜୁ କରିବେ, ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବେ କିମ୍ବା ପ୍ରମାଣ ଅଭାବରୁ ବନ୍ଦ କରିବେ।
ଲାଭ: ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଗୋଟିଏ ତଥ୍ୟକୁ ବାରମ୍ବାର ଏଣ୍ଟ୍ରି କରିବାକୁ ପଡ଼ିବ ନାହିଁ, ବିଭିନ୍ନ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ରହିବ ଏବଂ ପୀଡ଼ିତମାନେ ନିଜ ଅଭିଯୋଗର ସ୍ଥିତି କୁ ସହଜରେ ଟ୍ରାକ୍ କରିପାରିବେ।
ଡିଜିପି ଖୁରାନିଆ ଏହି ପ୍ରୟାସକୁ ଜନସାଧାରଣଙ୍କ ଅନୁକୂଳ ପୁଲିସ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି। ଏହା ସହିତ ସାଇବର ଠକେଇର ଶିକାର ହେଲେ ଟଙ୍କା ଫେରସ୍ତ ପାଇବା ଆଶା ବଢ଼ାଇବା ପାଇଁ ତୁରନ୍ତ ୧୯୩୦ ନମ୍ବରରେ କଲ୍ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏହି ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏବଂ ଅନ୍ୟ ସହଯୋଗୀଙ୍କୁ ସାଧୁବାଦ ଜଣାଇଛନ୍ତି।




