ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଶାସନ ଓ ପୋଲିସର କଡ଼ା ନିରାପତ୍ତା ବ୍ୟବସ୍ଥା ଯୋଗୁଁ କୌଣସି ପ୍ରକାରର ଅଘଟଣ ଘଟିନାହିଁ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଗେଇ ଚାଲିଥିବା ବେଳେ ଆଗାମୀ ଦିନରେ ଭକ୍ତଙ୍କ ଦର୍ଶନକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ଗୁରୁତ୍ୱ ଦେଉଥିବା ଡିଜିପି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।

ଭିଡ଼ ନିୟନ୍ତ୍ରଣ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏବଂ ଆଗାମୀ ଦିନରେ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିଶେଷ ପ୍ରସ୍ତୁତି କରୁଛି। ଡିଜିପି କହିଛନ୍ତି ଯେ, ଆଗକୁ ଦର୍ଶନ ସମୟରେ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ଓ କ୍ୟୁ (ଧାଡ଼ି) ବ୍ୟବସ୍ଥାକୁ ଆହୁରି ମଜବୁତ ଏବଂ ବ୍ୟାପକ କରାଯିବ। ଯେପରି କୌଣସି ଶ୍ରଦ୍ଧାଳୁଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ସେଥିପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି।

ସାଧାରଣ ଲୋକଙ୍କୁ ଡିଜିପିଙ୍କ ଅନୁରୋଧ

ଅତ୍ୟଧିକ ଗହଳି ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବା ଆଶଙ୍କା ଥିବାରୁ ଡିଜିପି ସାଧାରଣ ଲୋକଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ବୟସ୍କ ବ୍ୟକ୍ତି ଅର୍ଥାତ ବୃଦ୍ଧ ବ୍ୟକ୍ତି, ଛୋଟ ଛୁଆ ଏବଂ ଶାରୀରିକ ଭାବେ ଅସୁସ୍ଥ ଥିବା ରୋଗୀମାନେ ଏହି ଅତ୍ୟଧିକ ଗହଳି ଭିତରକୁ ନଆସିବା ପାଇଁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି। ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏଭଳି ପଦକ୍ଷେପ ନେବାକୁ କୁହାଯାଇଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ପୁରୀରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ବ୍ୟବସ୍ଥା ବେଶ୍ ପ୍ରଶଂସନୀୟ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶତାଧିକ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନେ ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଚାରିପାଖେ ମୁତୟନ ଅଛନ୍ତି।

ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଧୈର୍ଯ୍ୟର ସହ ଲାଇନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଏବଂ ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି।