ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦାଇପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ନାଥ ସାହି ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ରବିବାର ସକାଳେ ରେବା ନଦୀ ପାଣିରେ ବୁଡ଼ି ଜଣେ ୧୮ ବର୍ଷୀୟା କଲେଜ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ମୃତ ଛାତ୍ରୀ ଜଣକ ହେଉଛନ୍ତି ନାରାୟଣପୁର ନାଥ ସାହି ଗ୍ରାମର ଚକ୍ରଧର ନାଥଙ୍କ ଝିଅ ଇପ୍ସିତା ନାଥ (୧୮)। ସେ ଧାମନଗର କଲେଜର ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ପୁଲିସ ଓ ସ୍ଥାନୀୟ ସୂଚନା ଅନୁଯାୟୀ, ରବିବାର ସକାଳେ ଇପ୍ସିତା ତାଙ୍କର ଜଣେ ସାଙ୍ଗଙ୍କ ସହିତ ଗାଁ ନିକଟସ୍ଥ ରେବା ନଦୀକୁ ଯାଇଥିଲେ।
ନଦୀ ଘାଟରେ କାଚି ବା ଶିଉଳି ଜମିଥିବାରୁ ଗୋଡ଼ ଖସିଯାଇ ସେ ନଦୀ ଗର୍ଭକୁ ଖସି ପଡ଼ିଥିଲେ। ସେହି ସମୟରେ ରେବା ନଦୀରେ ପ୍ରବଳ ବନ୍ୟା ଜଳର ସ୍ରୋତ ବହୁଥିବାରୁ ସେ ନଦୀର ସ୍ରୋତରେ ଭାସି ଯାଇଥିଲେ।
ଇପ୍ସିତା ଭାସିଯିବା ଦେଖି ତାଙ୍କ ସାଙ୍ଗ ଚିତ୍କାର କରିବାରୁ ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ନିରନ୍ତର ପ୍ରଚେଷ୍ଟା ପରେ ଗ୍ରାମବାସୀମାନେ ତାଙ୍କୁ ନଦୀ ପାଣିରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।
ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।
ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଜଣେ ମେଧାବୀ ଛାତ୍ରୀଙ୍କର ଏପରି ଆକସ୍ମିକ ମୃତ୍ୟୁକୁ ଗ୍ରାମବାସୀ ଓ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଧାମନଗର କଲେଜ ଏବଂ ପୂରା ନାରାୟଣପୁର ଗ୍ରାମରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।




