ଭୁବନେଶ୍ବର: ଓଡ଼ିଶାର ବରିଷ୍ଠ ପାଣିପାଗ ବିଜ୍ଞାନୀ ତଥା ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଚେତାବନୀ ଦେଇଛନ୍ତି । ଡକ୍ଟର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆସନ୍ତା ଜୁନ୍ ମାସରୁ ପ୍ରଶାନ୍ତ ମହାସାଗରରେ ‘ଏଲ୍ ନିନୋ’ ପ୍ରକ୍ରିୟା ସକ୍ରିୟ ହେବାକୁ ଯାଉଛି । ପ୍ରାରମ୍ଭରେ ଏହା ଦୁର୍ବଳ ସ୍ଥିତିରେ ରହିବାକୁ ଥିବାବେଳେ ଜୁଲାଇ ଓ ଅଗଷ୍ଟରେ ମଧ୍ୟମ ଏବଂ ସେପ୍ଟେମ୍ବର ସୁଦ୍ଧା ଏହା ଅତ୍ୟନ୍ତ ଶକ୍ତିଶାଳୀ ରୂପ ଧାରଣ କରିବ ।
ପୂର୍ବରୁ ଆଇଏମଡି ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ନେଇ ଆକଳନ କରିଥିବାବେଳେ ଏହି ଚେତାବନୀ କୃଷି, ଜଳ ସଂରକ୍ଷଣ ଏବଂ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନେଇ ଚିନ୍ତା ବଢ଼ାଇ ଦେଇଛି। କେବଳ ଭାରତ ନୁହେଁ, ବରଂ ଅଷ୍ଟ୍ରେଲିଆର ପାଣିପାଗ ବ୍ୟୁରୋ ଓ ଚୀନର ଜାତୀୟ ଜଳବାୟୁ କେନ୍ଦ୍ର ମଧ୍ୟ ଏଲ୍ ନିନୋର ପ୍ରଭାବକୁ ନେଇ ଆଲର୍ଟ ଜାରି କରିଛନ୍ତି ।
ଏପରିକି ଆମେରିକାର ମହାକାଶ ସଂସ୍ଥା ‘ନାସା’ (NASA)ର ସାଟେଲାଇଟ୍ ଚିତ୍ରରୁ ପ୍ରଶାନ୍ତ ମହାସାଗର ଗର୍ଭରେ ବିପୁଳ ପରିମାଣର ଗରମ ଜଳରାଶି ଜମା ହେଉଥିବା ଜଣାପଡ଼ିଛି, ଯାହା ଏଲ୍ ନିନୋ ଆଗମନର ସ୍ପଷ୍ଟ ସଙ୍କେତ ଦେଉଛି । ଅଭାବୀ ବର୍ଷା ଯୋଗୁଁ ଆଗକୁ ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।




