ବୁର୍ଲା/ସୁନ୍ଦରଗଡ଼: ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା। ବିଶିଷ୍ଟ ସାହିତ୍ୟିକ, ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କର ସୋମବାର ସକାଳେ ବୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

ଗିରି ଦଣ୍ଡସେନା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ଶଯ୍ୟାଶାୟୀ ଥିଲେ। ୫ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୋମବାର ସକାଳ ପ୍ରାୟ ୮ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

୧୯୪୯ ମସିହା ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ଗିରି ଦଣ୍ଡସେନା ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ଗବେଷଣା କ୍ଷେତ୍ରରେ ନିଜର ଅନନ୍ୟ ଛାପ ଛାଡ଼ିଯାଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ଇତିହାସ, ସଂସ୍କୃତି ଓ ଐତିହ୍ୟକୁ ନେଇ ଲିଖିତ ତାଙ୍କର ଗବେଷଣାତ୍ମକ କୃତି ‘ସୁନ୍ଦରଗଡ଼ ଇତିହାସ’ ଓଡ଼ିଆ ସାହିତ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ତାଙ୍କ ରଚିତ ଅନ୍ୟ ପ୍ରସିଦ୍ଧ ପୁସ୍ତକଗୁଡ଼ିକ ମଧ୍ୟରେ ‘କାଳସୂତ୍ର’, ‘ଓଡ଼ିଶୀ ଓଡ଼ିଶୀ’, ‘ଭୂମିଗର୍ଭ’, ଏବଂ ‘ରାସ୍ତାକଡ଼ରେ ଜୀବନ’ ଅନ୍ୟତମ।

ସେ ମେ ୨୦୧୧ ରୁ ଫେବୃଆରୀ ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ। ସାହିତ୍ୟିକ ଓ ସାଂସ୍କୃତିକ ଦସ୍ତାବିଜୀକରଣ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଅତୁଲନୀୟ।

ତାଙ୍କ ଅକାଳ ବିୟୋଗରେ ସାରସ୍କାର ସାଧକ, ସାହିତ୍ୟିକ, ଗବେଷକ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଏହି ଅମୂଲ୍ୟ ସାହିତ୍ୟିକ କୃତି ଆଗାମୀ ପିଢ଼ିର ପାଠକ ଓ ଗବେଷକମାନଙ୍କୁ ସଦା ସର୍ବଦା ପ୍ରେରଣା ଯୋଗାଇବ।