ଭୁବନେଶ୍ୱର: କଟକର ବିକେ ରୋଡ୍ସ୍ଥିତ ମହାବୀର ଗ୍ୟାଲାକ୍ସି ହୋଟେଲ୍ରେ ଚାଲୁଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୁଲିସ କମିଶନରେଟ୍ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ୧୩ ଜଣ ପେଷାଦାର ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୧୯ ଲକ୍ଷ ଟଙ୍କା ନଗଦ ସହ ବହୁ ସାମଗ୍ରୀ ଜବତ କରାଯାଇଛି।
ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍ ପକ୍ଷରୁ ଗୁରୁବାର ଏନେଇ ସୂଚନା ଦିଆଯାଇଛି। ଗୁପ୍ତ ସୂଚନା ଆଧାରରେ ହୋଟେଲ୍ର ୧୧୦ ନମ୍ବର କକ୍ଷରେ ଚାଲିଥିବା ଜୁଆ ଆସର ଉପରେ ପୁଲିସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଓ ଖୋର୍ଦ୍ଧା ଅଞ୍ଚଳର ୧୩ ଜଣଙ୍କୁ ଧରାଯାଇଥିଲା।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କଟକ ମଙ୍ଗଳବାଗର ହେମନ୍ତ କାହାଳୀ, ଚିଣ୍ଟୁ ଦଳେଇ ଓ ତପନ ସେଠୀ, ମାଲଗୋଦାମ ଅଞ୍ଚଳର ଅଜିତ ଓଝା ଓ କିଷ୍ଣା ରାଓ, ବ୍ରହ୍ମପୁରର ଶ୍ୟାମ ସୁନ୍ଦର ସାହୁ ଓ ସନ୍ତୋଷ କୁମାର, ଭଦ୍ରକର ରାମଚନ୍ଦ୍ର ବେହେରା ଓ ମନୋଜ ମହାନ୍ତି, ଚାଉଳିଆଗଞ୍ଜର ରଙ୍ଗନାଥ ସାହୁ, ଜଟଣୀର ମହେଶ୍ୱର ସାନ୍ତା, ଶିଖରପୁରର ଯୋଗେଶ୍ୱର ରାଓ ଓ ପୁରୀର ଜଗବନ୍ଧୁ ବେହେରା ଓରଫ ଟୁଲୁ ଅଛନ୍ତି।
ପୁଲିସ ସେମାନଙ୍କ ନିକଟରୁ ୧୮ ଲକ୍ଷ ୩୦ ହଜାର ୭୩୦ ଟଙ୍କା ନଗଦ, ୬୦ଟି ପ୍ଲାଷ୍ଟିକ୍ ଟୋକେନ୍, ୧୪ଟି ମୋବାଇଲ୍ ଫୋନ୍, ୪ଟି ତାସ୍ ବଣ୍ଡଲ୍, ୧୦ଟି ଯାନବାହନ ଚାବି, ୨ଟି କାର୍ ସହ ମୋଟ ୮ଟି ଗାଡ଼ି ଜବତ କରିଛି।
ପୁଲିସ କହିଛି ଯେ ଗିରଫ ହୋଇଥିବା ହେମନ୍ତ କାହାଳୀ, କିଷ୍ଣା ରାଓ, ଚିଣ୍ଟୁ ଦଳେଇ ଓ ତପନ ସେଠୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ତଦନ୍ତ ଜାରି ରହିଛି। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।




