ବାଲେଶ୍ବର: ଜିଏସ୍‌ଟି ରିଫଣ୍ଡ ଛାଡ଼ କରାଇଦେବା ନାଁରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କେନ୍ଦ୍ର ଜିଏସ୍‌ଟି ଅଧୀକ୍ଷକ ଓମ୍ ପ୍ରକାଶ ନାୟକ ସିବିଆଇ ହାତରେ ଧରାପଡ଼ିଛନ୍ତି। ଘଟଣା ପରେ ସିବିଆଇ ଟିମ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇଛି।

ସିବିଆଇ ସୂଚନା ଅନୁସାରେ, ସିଜିଏସ୍‌ଟି ଅଧୀକ୍ଷକ ଓମ୍ ପ୍ରକାଶ ନାୟକ ଓ ଜଣେ ସହକାରୀ କମିସନର ମିଶି ଅଭିଯୋଗକାରୀଙ୍କ କମ୍ପାନିର ପ୍ରାୟ ୧୬ ଲକ୍ଷ ଟଙ୍କାର ଜିଏସ୍‌ଟି ରିଫଣ୍ଡ ଛାଡ଼ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ହେବା ପରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୂର୍ବ ଯୋଜନା ଅନୁଯାୟୀ ସିବିଆଇ ଟିମ୍‌ ଫାନ୍ଦ ପତ୍ରାଇଥିଲା। ଲାଞ୍ଚ ଟଙ୍କା ନେଉଥିବା ସମୟରେ ଓମ୍ ପ୍ରକାଶ ନାୟକଙ୍କୁ ରଙ୍ଗେହାତ ଧରାଯାଇଥିଲା। ଏହାପରେ ତାଙ୍କ କାର୍ଯ୍ୟାଳୟ, ବାସଭବନ ଓ ରେଲୱେ ଗେଷ୍ଟ ହାଉସ୍‌ରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ସୂଚନା ଅନୁଯାୟୀ, ଏହି ଅପରେସନ୍‌ ପାଇଁ ସିବିଆଇର ୨୭ ଜଣିଆ ଟିମ୍‌ ବାଲେଶ୍ବରରେ ପହଞ୍ଚିଥିଲା। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ଭୁବନେଶ୍ବରକୁ ନିଆଯିବାର ସମ୍ଭାବନା ରହିଛି। ଘଟଣାରେ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ସିବିଆଇ ତଦନ୍ତ ଜାରି ରଖିଛି।