ଚେନ୍ନାଇ: ତାମିଲଗା ଭେଟ୍ରି କାଝାଗାମ (TVK) ସଭାପତି ସି. ଜୋସେଫ ବିଜୟ ଶୁକ୍ରବାର ଦିନ ଏକ ଜଟିଳ ସଂଖ୍ୟା ଗଣିତ ଯୁଦ୍ଧରେ ଛନ୍ଦି ହୋଇ ରହିଛନ୍ତି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅରଲେକର, ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନଥିବା ଦର୍ଶାଇ ପୁଣିଥରେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବାକୁ ମନା କରିଦେଇଛନ୍ତି। ଅନେକ ଦିନର ରାଜନୈତିକ ସସପେନ୍ସକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ଆଣି ବିଜୟ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଲୋକ ଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ ଏବଂ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ଦାବି ଉପସ୍ଥାପନ କରିଥିଲେ।
ଅଭିନେତାରୁ ନେତା ପାଲଟିଥିବା ବିଜୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI) ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (CPI-M) ର ସମର୍ଥନ ପତ୍ର ଦାଖଲ କରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ସମ୍ଭାବ୍ୟ ସହଯୋଗୀ ଭାବେ ବିବେଚିତ ହେଉଥିବା ବିଦୁଥଲାଇ ଚିରୁଥାଇଗଲ କାଚି (VCK) ଏବଂ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (IUML) ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ସମର୍ଥନର ଲିଖିତ ପତ୍ର ପ୍ରଦାନ କରିନାହାଁନ୍ତି।
ରାଜ୍ୟପାଳ ଅରଲେକରଙ୍କ ନିକଟତର ସୂତ୍ରରୁ ପ୍ରକାଶ ଯେ, କାଗଜପତ୍ରରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନକରିବା ପର୍ଯ୍ୟନ୍ତ ବିଜୟଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ସୂଚନା ଦିଆଯାଇଛି।
“ଜୋସେଫ ବିଜୟ ବର୍ତ୍ତମାନ ପର୍ଯ୍ୟନ୍ତ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ସଫଳ ହୋଇନାହାଁନ୍ତି। ତାମିଲଗା ଭେଟ୍ରି କାଝାଗାମ ପାଖରେ ବର୍ତ୍ତମାନ ୧୧୬ ଜଣ ବିଧାୟକଙ୍କ ସମର୍ଥନ ରହିଛି। VCK, IUML କିମ୍ବା ଅନ୍ୟ କୌଣସି ଦଳଠାରୁ କୌଣସି ଆନୁଷ୍ଠାନିକ ସମର୍ଥନ ପତ୍ର ମିଳିନାହିଁ। ତେଣୁ ଶନିବାର କିମ୍ବା ରବିବାର ଶପଥ ଗ୍ରହଣ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ,” ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।
ଏପ୍ରିଲ ୨୩ ରେ ଅନୁଷ୍ଠିତ ନିର୍ବାଚନରେ ତାମିଲଗା ଭେଟ୍ରି କାଝାଗାମ ୧୦୮ଟି ଆସନ ଜିତି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା, କିନ୍ତୁ ବହୁମତ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଦୂରରେ ରହିଥିଲା।
ସରକାର ଗଠନ ପାଇଁ ବିଜୟ ଏବଂ ତାଙ୍କ ଦଳ ବର୍ତ୍ତମାନ ଅନ୍ୟ ଦଳଗୁଡ଼ିକର ସମର୍ଥନ ପାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଶୁକ୍ରବାର ବୈଠକ ସମୟରେ ବିଜୟଙ୍କ ସହ ବରିଷ୍ଠ ନେତା ଏନ. ଆନନ୍ଦ, କେ.ଏ. ସେଙ୍ଗୋଟ୍ଟାୟାନ ଏବଂ ଫିଲ୍ମ ପ୍ରଯୋଜକ ଭେଙ୍କଟ କେ. ନାରାୟଣ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବ ବୈଠକ ତୁଳନାରେ ଶୁକ୍ରବାରର ଆଲୋଚନା ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିବା ଜଣାପଡ଼ିଛି।




