ଭୁବନେଶ୍ୱର:ହୀରାକୁଦ ଜଳଭଣ୍ଡାରର ପରିଚାଳନାକୁ ନେଇ ରାଜ୍ୟ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ତତ୍ପର ରହିଛି। ବର୍ତ୍ତମାନ ଜଳଭଣ୍ଡାର ପ୍ରାୟ ୪୭ ପ୍ରତିଶତ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇଥିବାବେଳେ, ଆଜି ସକାଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି।ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ପ୍ରାୟ ୯୪ ହଜାର କ୍ୟୁସେକ୍ ପାଣି ନିଷ୍କାସନ ହେଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୬ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି, ଯାହାଫଳରେ ମୋଟ ୧ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ଛଡ଼ାଯିବ। ଜଳ ସମ୍ପଦ ବିଭାଗର ଆକଳନ ଅନୁଯାୟୀ, ଏହି ବନ୍ୟାଜଳ ପ୍ରାୟ ୩୬ରୁ ୪୮ ଘଣ୍ଟା ମଧ୍ୟରେ କଟକର ମୁଣ୍ଡଳୀରେ ପହଞ୍ଚିବ।

ପରିସ୍ଥିତିର ସୁଚାରୁ ପରିଚାଳନା ପାଇଁ ଗତକାଲି କେନ୍ଦ୍ରୀୟ ଜଳ ଆୟୋଗ (CWC) ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଏବଂ ଛତିଶଗଡ଼ର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାନଦୀର ଉପରମୁଣ୍ଡରେ ଥିବା ସ୍ଥିତି ଉପରେ ନଜର ରଖିବା ପାଇଁ ଛତିଶଗଡ଼ର ୮ଟି ପ୍ରମୁଖ ଷ୍ଟେସନରେ ଓଡ଼ିଶାର ୨୧ ଜଣ ଜଳ ସମ୍ପଦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ଛତିଶଗଡ଼ର କଲମା ବ୍ୟାରେଜର ଗେଟ୍ ମଧ୍ୟ ଖୋଲାଯାଇଛି।

ଜଳ ସମ୍ପଦ ବିଭାଗ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ ଏବଂ ଜଳସ୍ତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଉପରମୁଣ୍ଡରୁ ଜଳ ପ୍ରବାହ ନେଇ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ପୂର୍ଣ୍ଣ ସହଯୋଗ ମିଳୁଛି।ଭାରତୀୟ ପାଣିପାଗ ବିଭାଗ (IMD) ଜୁଲାଇ ୧୩ ପରେ ପରବର୍ତ୍ତୀ ପାଣିପାଗର ଆକଳନ ଜାରି କରିବ। ସେହି ସମୟ ମଧ୍ୟରେ ହୀରାକୁଦର ଜଳସ୍ତରକୁ ଆବଶ୍ୟକ ମୁତାବକ ହ୍ରାସ କରାଯିବ, ଯାହା ଫଳରେ ଆଗାମୀ ଲଘୁଚାପ ସମୟରେ ଯଦି ଅଧିକ ବର୍ଷା ହୁଏ, ତେବେ ଜଳଭଣ୍ଡାରରେ ଜଳ ସଂରକ୍ଷଣ କରିବା ସହଜ ହେବ।

ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ସେହିପରି ସୁବର୍ଣ୍ଣରେଖା ନଦୀର ସ୍ଥିତି ନେଇ ଝାଡ଼ଖଣ୍ଡର ଚାନ୍ଦିଲ ଡ୍ୟାମ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଓଡ଼ିଶା ପ୍ରଶାସନ ନିରନ୍ତର ଆଲୋଚନା ଜାରି ରଖିଛି।