ସମ୍ବଲପୁର: ଚଳିତ ବର୍ଷ ପାଇଁ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ଥର ବନ୍ୟାଜଳ ନିଷ୍କାସନ କରାଯାଇଛି। ବୁଧବାର ସକାଳ ୧୧ଟା ପରେ ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଡ୍ୟାମ୍ର ଗେଟ୍ ଖୋଲାଯାଇଥିଲା। ପରମ୍ପରା ଅନୁଯାୟୀ ପ୍ରଥମେ ବାମ ପାର୍ଶ୍ୱର ୭ ନମ୍ବର ଗେଟ୍ ଖୋଲାଯାଇଥିବାବେଳେ ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍ ଖୋଲାଯାଇଛି।
ସରକାରୀ ସୂଚନା ଅନୁଯାୟୀ, ଏବେ ମୋଟ ୪ଟି ଗେଟ୍ ଖୋଲାଯାଇଛି। ସେଥିମଧ୍ୟରୁ ବାମ ପାର୍ଶ୍ୱର ୩ଟି ଏବଂ ଡାହାଣ ପାର୍ଶ୍ୱର ୧ଟି ଗେଟ୍ ରହିଛି। ଏହି ଗେଟ୍ ମାଧ୍ୟମରେ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ କରାଯିବ।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୩ ଫୁଟ୍ ରହିଥିଲା। ସେହି ସମୟରେ ପ୍ରାୟ ୧ ଲକ୍ଷ ୪୧ ହଜାର ୪୩୮ କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିଲା। ସାଧାରଣତଃ ହୀରାକୁଦରୁ ଛାଡ଼ାଯାଇଥିବା ବନ୍ୟାଜଳ ଖଇରମାଳ ଓ ବରମୂଳରେ ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ସମୟ ଲାଗିଥାଏ। ସେହିପରି ମୁଣ୍ଡଳିରେ ପହଞ୍ଚିବା ପାଇଁ ପ୍ରାୟ ୩୬ରୁ ୪୮ ଘଣ୍ଟା ସମୟ ଲାଗେ।
ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ତଳମୁଣ୍ଡ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଥିଲା। ହୀରାକୁଦ ଜଳଭଣ୍ଡାରର ଡେଡ୍ ଷ୍ଟୋରେଜ୍ ସ୍ତର ୫୯୦ ଫୁଟ୍ ଥିବାବେଳେ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍। ବନ୍ୟା ନିୟନ୍ତ୍ରଣ ଏବଂ ଡ୍ୟାମ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରାଯାଉଛି।
ବନ୍ୟାଜଳ ଛାଡ଼ାଯିବା ପରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ନଦୀକୁ ନଯିବା, ମାଛଧରା ଓ ଅନ୍ୟାନ୍ୟ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।




