ରାୟଗଡ଼ା: ରାୟଗଡ଼ା ବନଖଣ୍ଡରେ ବେଆଇନ ଭାବେ କାଠ ଗଚ୍ଛିତ ରଖିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ।
ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚ୍ଚିନ ଆନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। କୋମତାଲପେଟା ସେକ୍ସନ ଅଧୀନ ଡୋକୁଲୁଗୁଡ଼ା ଗାଁର କିଛି ଘରେ ବେଆଇନ ଭାବେ କାଠ ଗଚ୍ଛିତ ଥିବା ନେଇ ସୂଚନା ପାଇବା ପରେ ବନ କର୍ମଚାରୀମାନେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ଡୋକୁଲୁଗୁଡ଼ା ଗାଁର କେ. ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟୀ ଏବଂ ବିବେକ ରାଓ କାଲାଗାରାଙ୍କ ଘରୁ କାଠ ଜବତ କରାଯାଇଥିଲା। କେ. ଶ୍ରୀନିବାସଙ୍କ ଘରୁ ୬୭ଟି ଶାଳ ସାଇଜ, ଗୌରୀ ଶଙ୍କର ଚିକାଟୀଙ୍କ ଘରୁ ୬୬ଟି ଶାଳ ସାଇଜ ଓ ପଟା ଏବଂ ବିବେକ ରାଓ କାଲାଗାରାଙ୍କ ଘରୁ ୫୬ଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ ହୋଇଛି।
ଜବତ କାଠ ସମ୍ପର୍କରେ ତିନି ଜଣ କୌଣସି ବୈଧ ବିଭାଗୀୟ କାଗଜପତ୍ର ଦେଖାଇ ପାରିନଥିଲେ। ବନ ବିଭାଗ ଅନୁସାରେ, ସେମାନେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟି କାଠ ଆଣିଥିବା ସ୍ୱୀକାର କରିଥିଲେ।
ଏହାପରେ କୋମତାଲପେଟା ବନପାଳ ଅନନ୍ତ ହେମଚରଣ ବେହେରା ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାଠଗୁଡ଼ିକୁ ଜବତ କରିଥିଲେ। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ଚଢ଼ାଉରେ ରାୟଗଡ଼ା ସେକ୍ସନର ବନପାଳ ଗୌରୀ ଶଙ୍କର ସାହୁ, ପଦ୍ମାବତୀ ପାଢ଼ୀଙ୍କ ସମେତ ରାୟଗଡ଼ା ବନାଞ୍ଚଳର ଅନ୍ୟ ବନ କର୍ମଚାରୀମାନେ ସାମିଲ ହୋଇଥିଲେ।




