ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ଅସ୍ୱାଭାବିକ ମନ୍ଥର ଗତି ଯୋଗୁଁ ଓଡ଼ିଶାରେ ଲଗାଣ ବର୍ଷା ଓ ସଙ୍ଗୀନ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି।

୪ ଦିନରେ ଅତିକ୍ରମ କରିଛି ମାତ୍ର ୫୦୦ କିମି

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗତ ଜୁଲାଇ ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ଅଧିକ ଘନୀଭୂତ ହୋଇ ଜୁଲାଇ ୨୬ ତାରିଖରେ ଅବପାତ ଏବଂ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇଥିଲା। ତେବେ ଏହି ସିଷ୍ଟମଟିର ଗତି ଅତ୍ୟନ୍ତ ମନ୍ଥର ରହିଛି। ବିଗତ ୪ ଦିନ ମଧ୍ୟରେ ଏହା ମାତ୍ର ୫୦୦ କିଲୋମିଟରରୁ କମ୍ ଦୂରତା ଅତିକ୍ରମ କରି ବର୍ତ୍ତମାନ ଝାରସୁଗୁଡ଼ା ନିକଟରେ ସ୍ଥିର ରହିଛି।

ଏହି ମନ୍ଥର ଗତି ଯୋଗୁଁ ରାଜ୍ୟରେ, ବିଶେଷ କରି ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କ୍ରମାଗତ ଅତି ପ୍ରବଳ ବର୍ଷା ଜାରି ରହିଛି। ଘଟଣା ସମ୍ପର୍କରେ ପାଣିପାଗ ବିଜ୍ଞାନୀ ନିଜ ‘X’ (ଟ୍ୱିଟର) ହ୍ୟାଣ୍ଡେଲରେ ଲେଖିଛନ୍ତି, “ଲଘୁଚାପ ସିଷ୍ଟମର ଗତି ଅତ୍ୟନ୍ତ ଧୀମା ରହିଛି। ଜୁଲାଇ ୨୫ରେ ସୃଷ୍ଟ ଲଘୁଚାପ ଓ ୨୬ରେ ଅବପାତରେ ପରିଣତ ହେବା ପରେ ବି ୪ ଦିନ ହେବ ଏହା ଝାରସୁଗୁଡ଼ା ନିକଟରେ ରହିଛି ଏବଂ ୫୦୦ କିମିରୁ କମ୍ ଗତି କରିଛି। ଏହାଫଳରେ ରାଜ୍ୟସାରା ବିପୁଳ ପରିମାଣର ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।”

ନଦୀରେ ଜଳସ୍ତର ବୃଦ୍ଧି ଓ ଜଳବନ୍ଦୀ

ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଓ ସାଳନ୍ଦୀ ଭଳି ମୁଖ୍ୟ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଡେଇଁଛି। ଏହାଯୋଗୁଁ ତଳିଆ ଅଞ୍ଚଳ, ଚାଷଜମି ଏବଂ ଜନବସତି ଜଳମଗ୍ନ ହୋଇପଡ଼ିଛି। ଯାଜପୁର, ଭଦ୍ରକ ସମେତ ଏକାଧିକ ଜିଲ୍ଲାରେ ଗୁରୁତର ଜଳବନ୍ଦୀ ସମସ୍ୟା, ରାସ୍ତାଘାଟ କ୍ଷତିଗ୍ରସ୍ତ ଏବଂ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

ସ୍କୁଲ୍, କଲେଜ ବନ୍ଦ ଓ ପରବର୍ତ୍ତୀ ସ୍ଥିତି

ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବହୁ ପ୍ରଭାବିତ ଜିଲ୍ଲାରେ ସ୍କୁଲ, କଲେଜ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ସିଷ୍ଟମଟି ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ବର୍ଷା ଆହୁରି କିଛି ସମୟ ଲାଗି ରହିପାରେ, ଯାହା ବନ୍ୟା ସ୍ଥିତିକୁ ଆହୁରି ସଙ୍ଗୀନ କରିବାର ଆଶଙ୍କା ବଢ଼ାଇ ଦେଇଛି।