ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ରାଜସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିବା କୋଟି କୋଟି ଟଙ୍କାର ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF)। ‘ଡାଟା ଡ୍ରିଭେନ୍ ଟାର୍ଗେଟିଂ’ ଅଭିଯାନ ଜରିଆରେ ଏହି ପୂରା ନେଟୱର୍କକୁ ଧ୍ୱଂସ କରିବାରେ ଏସ୍‌ଟିଏଫ୍ ସଫଳତା ହାସଲ କରିଛି।

ପିତାପଲ୍ଲୀରୁ ମିଳିଥିଲା ସୁରାକ୍

ଗତ ଏପ୍ରିଲ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ପିତାପଲ୍ଲୀରୁ ଏସ୍‌ଟିଏଫ୍ ୨୨୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ଏକ କଣ୍ଟେନର ଜବତ କରିଥିଲା। ଏହି ଘଟଣାରେ ରାଜସ୍ଥାନର ପାରସ ନାଥଙ୍କୁ ଗିରଫ କରାଯାଇଥିଲା। ତେବେ ଘଟଣାର ଚେର ଖୋଜିବା ପାଇଁ ଏସ୍‌ଟିଏଫ୍ ଟିମ୍ ଗୁଜରାଟ ଓ ରାଜସ୍ଥାନ ପର୍ଯ୍ୟନ୍ତ ତଦନ୍ତ ବିସ୍ତାର କରିଥିଲା।

ଗଞ୍ଜାମରୁ ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ଟେକ୍ନିକାଲ ଆନାଲିସିସ ଓ ଫିଲ୍ଡ ଇଣ୍ଟେଲିଜେନ୍ସ ଆଧାରରେ ଏସ୍‌ଟିଏଫ୍‌ ଗଞ୍ଜାମ ଜିଲ୍ଲାର ୩ ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି। ସେମାନେ ହେଲେ ଶିବରାମ ବିଶ୍ୱାଳ, ଶିବରାମ ପାତ୍ର ଓ ‘କଣା ମିଟୁ’ ଓରଫ ମନୋରଞ୍ଜନ ସାବତ।

ଅଭିଯୁକ୍ତ ଶିବରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ନଗଦ ଟଙ୍କା, ମୋବାଇଲ ଫୋନ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି।

କିପରି ଚାଲୁଥିଲା କାରବାର?

ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ସଂଗ୍ରହ କରି କଣ୍ଟେନର ମାଧ୍ୟମରେ ରାଜସ୍ଥାନ ଓ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲା।

ଏବେ ଏହି ରାକେଟ୍‌ର ଆର୍ଥିକ କାରବାର, ବେଆଇନ ସମ୍ପତ୍ତି ଏବଂ ନେଟୱର୍କରେ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା ପାଇଁ ଏସ୍‌ଟିଏଫ୍ ତଦନ୍ତ ଜାରି ରଖିଛି।