ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମହାନଦୀ ଓ ଦେବୀନଦୀର ବନ୍ୟା ପାଣି ଧୀରେ ଧୀରେ କମିବାରେ ଲାଗିଛି, ମାତ୍ର ବନ୍ୟାଞ୍ଚଳରେ ବିପନ୍ନଙ୍କ ଦୁର୍ଦ୍ଦଶା କମିବା ବଦଳରେ ଦୁଇଗୁଣା ବୃଦ୍ଧି ପାଇଛି। ଯେଉଁସବୁ ଗାଁରୁ ବନ୍ୟା ପାଣି ଛାଡ଼ିଛି, ସେଠାରେ ଲୋକମାନେ ଆଶ୍ରୟସ୍ଥଳୀରୁ ନିଜ ନିଜ ଭଙ୍ଗାରୁଜା ଘରକୁ ଫେରୁଥିଲେ ମଧ୍ୟ ନାନା ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଘରେ କାଦୁଅ, ନଷ୍ଟ ହେଲା ଚାଉଳ ଓ ଜରୁରୀ ସାମଗ୍ରୀ

ବନ୍ୟା ପାଣି ନିଷ୍କାସିତ ହେବା ପରେ ଗାଁ ଗୁଡ଼ିକରେ ବ୍ୟାପକ କାଦୁଅ ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଅଧିକାଂଶ ଲୋକଙ୍କ ଘର ଭିତରେ ମୋଟା ଆସ୍ତରଣର କାଦୁଅ ଓ ପାଣି ଜମି ରହିଛି। ବନ୍ୟା ପାଣିରେ ଘରର ଚୁଲି ବୁଡ଼ିଯାଇଥିବାରୁ ରନ୍ଧାବଢ଼ା କରିବା ସମ୍ଭବ ହେଉନାହିଁ।

ଏହାସହିତ ଘରେ ଗଚ୍ଛିତ ଥିବା ଚାଉଳ, ଡାଲି, ଲୁଗାପଟା, ନିତ୍ୟବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଏବଂ ଆସବାବପତ୍ର ବନ୍ୟା ପାଣିରେ ଭିଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାନୀୟ ଜଳର ଉତ୍ସଗୁଡ଼ିକ ପ୍ରଦୂଷିତ ହୋଇପଡ଼ିଥିବାରୁ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି।

ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ବିପନ୍ନ

ବନ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା, ଘରଦ୍ୱାର ସଫାସୁତରା କରିବା ଏବଂ ପୁଣିଥରେ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ବିପନ୍ନମାନେ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି। ମାତ୍ର ଖାଦ୍ୟ, ସୁରକ୍ଷିତ ପାନୀୟ ଜଳ ଏବଂ ତ୍ରାଣ ସାମଗ୍ରୀର ଅଭାବ ସେମାନଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ସରକାରୀ ସହାୟତା କେବେ ସେମାନଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ବିପନ୍ନମାନେ ଚାତକ ଭଳି ଅପେକ୍ଷା କରି ରହିଛନ୍ତି।