ଯାଜପୁର: ପ୍ରଳୟଙ୍କାରୀ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ବିଞ୍ଝାରପୁର ବ୍ଲକର ଜରି ନୂଆ ମାହାରା ନିକଟରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଫଳରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଞ୍ଝାରପୁର ବ୍ଲକର ପ୍ରାୟ ୬ରୁ ୭ଟି ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶହ ଶହ ହେକ୍ଟର ଚାଷ ଜମି ଏବେ ବି ଜଳମଗ୍ନ ହୋଇରହିଥିବା ବେଳେ ଲୋକଙ୍କ ଘରଦ୍ୱାରରେ ପାଣି ପଶିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଶେଷକରି ବିଞ୍ଝାରପୁର ବ୍ଲକର ହଳଦୀଢିଅ ପଞ୍ଚାୟତ ଅନ୍ତର୍ଗତ ଫଳପୁର ଅଞ୍ଚଳରେ ସ୍ଥିତି ସବୁଠାରୁ ସଙ୍ଗୀନ ରହିଛି। ବନ୍ୟା ପାଣି ଲୋକଙ୍କ ଘରକୁ ଘେରି ରହିଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହାର ପ୍ରଭାବରୁ ବାଦ ପଡ଼ିନାହିଁ। ଏହାର ଏକ ହୃଦୟବିଦାରକ ଦୃଶ୍ୟ ବିଞ୍ଝାରପୁର ଶିକ୍ଷା ମଣ୍ଡଳ ଅଧୀନ ଚମ୍ପାପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବନ୍ୟା ପାଣି କମିବା ପରେ ସ୍କୁଲ ଘର ଓ ପରିସରରେ ପ୍ରଚୁର କାଦୁଅ ଏବଂ ଅଳିଆ ଆବର୍ଜନା ଜମି ରହିଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ସ୍ୱାଭାବିକ କରିବା ପାଇଁ ସ୍କୁଲର ଶିକ୍ଷକମାନେ ନିଜେ ହାତରେ ଝାଡ଼ୁ ଧରି ସ୍କୁଲ ପରିସର ସଫା କରୁଥିବା ଦୃଶ୍ୟ ପ୍ରଶଂସନୀୟ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବନ୍ୟା ପରେ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ସହ ଚାଷବାସ ଓ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ବନ୍ୟାର କ୍ଷତିର ଚିହ୍ନ ଏବେ ବି ଲିଭି ନାହିଁ। ପ୍ରଶାସନିକ ସହାୟତା ସହିତ ସ୍ଥାନୀୟ ଲୋକେ ନିଜସ୍ୱ ପ୍ରୟାସରେ ଏହି ବିପର୍ଯ୍ୟୟରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ତେବେ ଯାଜପୁରରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବେ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।