ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ବୈତରଣୀ ଓ ତା’ର ଶାଖା ନଦୀ କାଣୀରେ ବାରମ୍ବାର ଆସୁଥିବା ବନ୍ୟା ଜଳ ଯୋଗୁଁ ମାତ୍ର ୫୨ ଦିନ ମଧ୍ୟରେ ଦଶରଥପୁରବାସୀ ୫ମ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ବାରମ୍ବାର ଲଘୁଚାପ ବର୍ଷା ଯୋଗୁଁ ନଦୀଗୁଡ଼ିକ ଫୁଲିବାରେ ଲାଗିଛି, ଯାହାଫଳରେ ବନ୍ୟା ବିପନ୍ନମାନେ ଦହଗଞ୍ଜ ହେଉଛନ୍ତି।
କାଣୀ ନଦୀର ତରପଦା ପଞ୍ଚାୟତ ଡୋଭାବିଲ ପାଟଣା ଏବଂ କଣ୍ଟାପଡ଼ାଠାରେ ଥିବା ମୁକୁଳା ଘାଇ ଦେଇ ପ୍ରବଳ ବେଗରେ ବନ୍ୟା ଜଳ ଗାଁ ଭିତରକୁ ପ୍ରବେଶ କରୁଛି। ଏହାଛଡ଼ା ବୈତରଣୀ ନଦୀର ଜୟନ୍ତରା ମହାପାତ୍ର ସାହି ଘେରିବନ୍ଧରେ ଅନ୍ୟ ଏକ ସ୍ଥାନରେ ପ୍ରାୟ ୧୦୦ ଫୁଟ୍ର ନୂତନ ଘାଇ ସୃଷ୍ଟି ହୋଇଛି।
ଏହି ବନ୍ୟା ଯୋଗୁଁ ବ୍ଲକ୍ର ପ୍ରଭାବିତ ପ୍ରମୁଖ ପଞ୍ଚାୟତଗୁଡ଼ିକ ହେଲା:
- କସପା, ତରପଦା, ମଲିକାପୁର, ଛଚିଣା
- ଶୁଶୁଆ, ନିଜାମପୁର, ଥାଲକୁଡି, ଖାନନଗର, କମାରଢିଅ, କୟାଁ, ଜାଫରପୁର, ପାଲଟପୁର, ବିରିପଟା
ଗାଁଗୁଡ଼ିକରେ ପ୍ରାୟ ୨ ରୁ ୩ ଫୁଟ ଉଚ୍ଚର ବନ୍ୟା ଜଳ ଲହଡ଼ି ଭାଙ୍ଗୁଛି।
ପ୍ରାୟ ୨୫ ଦିନ ହେବ ଶହ ଶହ ପରିବାର ନିଜ ଘରକୁ ଫେରିପାରିନାହାନ୍ତି। ଘରଦ୍ୱାର ପାଣିରେ ବୁଡ଼ି ରହିଥିବାରୁ ଲୋକମାନେ ଛାତ ଉପରେ କିମ୍ବା ନଦୀବନ୍ଧ ଉପରେ ପାଲ ଟାଣି ଗାଈ, ଛେଳି ଓ ଘରୋଇ ଜିନିଷପତ୍ର ସହ ଗୃହହୀନ ଭାବେ ଦିନ କାଟୁଛନ୍ତି।
ଗତ ଜୁଲାଇ ୬ରେ ପ୍ରଥମ ବନ୍ୟା ଆସିଥିବା ବେଳେ ଜୁଲାଇ ୨୮ରେ ଦ୍ୱିତୀୟ, ଅଗଷ୍ଟ ୮ରେ ତୃତୀୟ, ଅଗଷ୍ଟ ୧୪ରେ ଚତୁର୍ଥ ଏବଂ ଅଗଷ୍ଟ ୨୩ରେ ପଞ୍ଚମ ବନ୍ୟା ମାଡ଼ି ଆସିଛି। ପୂର୍ବ ବନ୍ୟା ଜଳ ନଶୁଖୁଣୁ ପୁଣି ନୂଆ ବନ୍ୟା ଜଳ ପ୍ରବେଶ କରିବା ଫଳରେ ସ୍ଥାନୀୟ ମହିଳା ଓ ବିପନ୍ନଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି।




