କେନ୍ଦ୍ରାପଡା: ରାଜ୍ୟର ଜଣେ ଦଳିତ ମହିଳା ସରପଞ୍ଚ ଚମେଲୀ ଓଝାଙ୍କୁ ପୁଲିସ ଓ ଗୁଣ୍ଡାମାନଙ୍କ ଦ୍ୱାରା କ୍ରୂର ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି ସାମାଜିକ ପ୍ରତିନିଧି ଦଳ ଓଡ଼ିଶା ସରକାରଙ୍କ ନିକଟରେ ଉଦ୍ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚମେଲୀଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଓ ସୁରକ୍ଷା ଯୋଗାଇ ଦେବାକୁ ଏକ ଯୁକ୍ତ ବିବୃତି ଜରିଆରେ ଦାବି କରାଯାଇଛି।
ବିବୃତି ଅନୁଯାୟୀ, ଶାସକ ଦଳର ସଦସ୍ୟା ତଥା ଶିକ୍ଷିତ ଦଳିତ ମହିଳା ସରପଞ୍ଚ ଚମେଲୀ ଓଝା, ସ୍ଥାନୀୟ ବିଧାୟକ ଏବଂ ବିଡିଓ (BDO)ଙ୍କ କାର୍ଯ୍ୟକଳାପରେ ଚାଲିଥିବା ଅନିୟମିତତା ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହାର ପ୍ରତିଶୋଧ ସ୍ୱରୂପ ତାଙ୍କୁ ସୁରକ୍ଷା ଦେବା ବଦଳରେ ପୁଲିସ ଓ ସ୍ଥାନୀୟ ଗୁଣ୍ଡାମାନଙ୍କ ଦ୍ୱାରା ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ପ୍ରଶାସନ ତାଙ୍କୁ ମିଥ୍ୟା ମାମଲାରେ ଜେଲ୍ ପଠାଇ ମାନବିକତାହୀନ ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।ଗତ ଜୁନ୍ ୧୧ ତାରିଖରେ ସାମାଜିକ କର୍ମୀଙ୍କ ଏକ ପ୍ରତିନିଧି ଦଳ ହସ୍ପିଟାଲ୍ରେ ଚମେଲୀଙ୍କୁ ଭେଟିଥିଲେ। ସେଠାରେ ସେ ନିଜ ଜୀବନ ପ୍ରତି ବିପଦ ଥିବା କହିବା ସହ ପୁଲିସ ଓ ଅଭିଯୁକ୍ତଙ୍କ ଉପସ୍ଥିତି ଯୋଗୁଁ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଥିବା ପ୍ରକାଶ କରିଛନ୍ତି।
ରାଜ୍ୟରେ “ଅରାଜକତା” ଭଳି ସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ପ୍ରଫୁଲ୍ଲ ସାମନ୍ତରା, କଲ୍ୟାଣ ଆନନ୍ଦ, ଡଃ ବିଶ୍ୱଜିତ୍, ଦେବପ୍ରସାଦ ରାୟ ଏବଂ ଦେବୀ ପ୍ରସାଦ ପୃଷ୍ଟି ପ୍ରମୁଖ ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ହେଲା:
ଚାମେଲି ଓଝାଙ୍କୁ ତୁରନ୍ତ କଟକର ଏକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉ। ତାଙ୍କ ଜୀବନର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ହେଉ। ଚମେଲୀଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ପୁଲିସ କର୍ମଚାରୀ ଓ ବିଡିଓଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ।
ଏହି ସାହସୀ ଦଳିତ ମହିଳାଙ୍କ ସହ ସହମତି ପ୍ରକାଶ କରି ଲୋକ ଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା ଓ କଲ୍ୟାଣ ଆନନ୍ଦ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିନିକିଆ ଅନଶନ କରିଛନ୍ତି। ଦାବି ପୂରଣ ଓ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି।




