କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ପ୍ରାୟ ଏକ ମାସ ପୂର୍ବରୁ ନିଖୋଜ ଥିବା ୨୧ ବର୍ଷୀୟା ଯୁବତୀ ଅନିତା ମହାକୁଡ଼ଙ୍କୁ ସନ୍ଦେହ ଜନିତ କାରଣରୁ ତାଙ୍କ ପ୍ରେମିକ ଅତି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଜଣାପଡ଼ିଛି। ରବିବାର ପୋଲିସ ମାଟି ଖୋଳି ଅନିତାଙ୍କ କଙ୍କାଳ ଉଦ୍ଧାର କରିଛି।ଏହି ସୂଚନା ମିଳିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକ ସହଜ ଆଲଦା (୨୬)କୁ ଗିରଫ କରିଛି।

ଜେରା ସମୟରେ ସହଜ ନିଜର ଅପରାଧ ସ୍ୱୀକାର କରିବା ସହ ସମସ୍ତ ସତ୍ୟ ପ୍ରକାଶ କରିଥିଲା। ତା’ରି ସୂଚନା ଆଧାରରେ ପୋଲିସ ତଦନ୍ତକାରୀ ଦଳ ବଡ଼ବିଲ ନିକଟସ୍ଥ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ମାଟି ତଳୁ ଅନିତାଙ୍କ କଙ୍କାଳାବଶେଷ ଜବତ କରିଛି।

ଡୁମ୍ବିସାହି ଗାଁର ବାସିନ୍ଦା ଅନିତା ମହାକୁଡ଼ ଗତ ମେ’ ୧୧ ତାରିଖରୁ ନିଖୋଜ ଥିଲେ। ସେ ଘରକୁ ନଫେରିବାରୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପରିବାର ପକ୍ଷରୁ କେନ୍ଦୁଝର ଏସପି (SP)ଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରାଯାଇଥିଲା।

ଏସପିଙ୍କ ନିର୍ଦ୍ଦେଶ ପରେ ପୋଲିସ ତଦନ୍ତକୁ ଜୋରଦାର କରି ସନ୍ଦେହରେ ସହଜକୁ ଅଟକ ରଖି ପଚରାଉଚରା କରିଥିଲା। ସହଜ ପ୍ରକାଶ କରିଛି ଯେ, ଅନିତାଙ୍କ ସୋସିଆଲ ମିଡିଆ ଗତିବିଧିକୁ ନେଇ ତା’ର ସନ୍ଦେହ ଜାତ ହୋଇଥିଲା। ଏହି କାରଣରୁ ସେ ଏକ ଶାଣିତ ଛୁରୀରେ ଅନିତାଙ୍କ ବେକକୁ କାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲରେ ପୋତି ଦେଇଥିଲା।