ଉଦଳା (ମୟୂରଭଞ୍ଜ): ଲୁଟେରାଙ୍କ ନୂଆ ଫଣ୍ଡା। ପୋଲିସ ଆଖିରେ ଧୂଳି ଦେବା ପାଇଁ ଆପଣାଇଲେ ନୂଆ ତରିକା। ସିସିଟିଭି କ୍ୟାମେରାରେ ରଙ୍ଗ ସ୍ପ୍ରେ କରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଏକ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ବଙ୍ଗଳା ଛକ ଏସବିଆଇ (SBI) ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି। ଲୁଟେରାମାନେ ଅତି ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଭିଆଇଛନ୍ତି।
ସିସିଟିଭି ନଜରରୁ ବର୍ତ୍ତିବା ପାଇଁ ଲୁଟେରାମାନେ ପ୍ରଥମେ ଏଟିଏମ୍ ବାହାରେ ଥିବା କ୍ୟାମେରାରେ ଲାଲ ରଙ୍ଗର ସ୍ପ୍ରେ ମାରିଥିଲେ। ଯାହାଫଳରେ ଲୁଟେରାଙ୍କ ଚେହେରା କିମ୍ବା ଗତିବିଧି କଏଦ ହୋଇପାରି ନଥିଲା। କ୍ୟାମେରା ଅଚଳ କରିବା ପରେ ଲୁଟେରାମାନେ ଏଟିଏମ୍ ଭିତରେ ପଶି ଗ୍ୟାସ କଟର ସାହାଯ୍ୟରେ ମେସିନକୁ କାଟିଥିଲେ। ଗ୍ୟାସ କଟରରେ କାଟିବା ଯୋଗୁଁ ଏଟିଏମ୍ ମେସିନର କିଛି ଅଂଶ ଜଳି ଯାଇଥିବା ଦେଖିବାକୁ ମିଳିଛି। ଲୁଟ୍ ସମୟରେ ଯେପରି କୌଣସି ଶବ୍ଦ ନହୁଏ କିମ୍ବା ପୋଲିସ ପାଖକୁ ସୂଚନା ନଯାଏ, ସେଥିପାଇଁ ସେମାନେ ଏଟିଏମରେ ଥିବା ସାଇରନକୁ ପିଟି ଭାଙ୍ଗି ଦେଇଥିଲେ।
ଲୁଟେରାମାନେ କ୍ୟାସ ଟ୍ରେରୁ ସମସ୍ତ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ତେବେ ମୋଟ କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି, ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ଛାନଭିନ୍ ଜାରି ରଖିଛି।
ପୋଲିସ ଥାନା ନିକଟରେ ଏଭଳି ଦୁଃସାହସିକ ଲୁଟ୍ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।




