ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁରୁବାର ସକାଳେ ଶ୍ରୀମନ୍ଦିର ପରିସର ଏବଂ ପବିତ୍ର ନୀଳଚକ୍ର ଉପରେ ଏକ ଡ୍ରୋନ୍ ବେଶ୍ କିଛି ସମୟ ଧରି ଉଡୁଥିବା ଦେଖିବାକୁ ମିଳିଛି। ‘ନୋ ଫ୍ଲାଇଙ୍ଗ୍ ଜୋନ୍’ ବା ନିଷିଦ୍ଧାଞ୍ଚଳ ଘୋଷିତ ଏହି ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ସୁରକ୍ଷା ଉଲ୍ଲଂଘନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁରୁବାର ସକାଳୁ ଏହି ମାନବବିହୀନ ବିମାନ (UAV) ବା ଡ୍ରୋନ୍‌ଟି ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଏବଂ ଚତୁଃପାର୍ଶ୍ୱରେ ବିଭିନ୍ନ ଆଙ୍ଗେଲ୍‌ରୁ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲା। ଏହା ନଜରକୁ ଆସିବା ପରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ଦଳ (STF) ତୁରନ୍ତ ଆକ୍ସନ ମୋଡ୍‌କୁ ଆସିଥିଲା। ପ୍ରଶାସନ ପକ୍ଷରୁ ସେହି ସମୟରେ ଡ୍ରୋନ୍ ଉଡାଉଥିବା ଅପରେଟରଙ୍କୁ ଟ୍ରାକ୍ କରାଯାଇ ମନ୍ଦିର ନିକଟସ୍ଥ ମାଟିମଣ୍ଡପ ସାହିର ମଙ୍ଗୁ ମଠ ନିକଟରୁ କାବୁ କରାଯାଇଥିଲା।

ଅଟକ ଯୁବକ ଜଣକ ପଶ୍ଚିମବଙ୍ଗ କୋଲକାତାର ଜୟକୃଷ୍ଣ ମଣ୍ଡଳ ବୋଲି ଚିହ୍ନଟ ହୋଇଛନ୍ତି। ପୋଲିସ ତାଙ୍କ ନିକଟରୁ ଡ୍ରୋନ୍ କ୍ୟାମେରାକୁ ଜବତ କରିବା ସହ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଡ୍ରୋନ୍‌ର ମେମୋରି କାର୍ଡକୁ ଯାଞ୍ଚ କରାଯାଉଛି, ଯେଉଁଥିରୁ ଶ୍ରୀମନ୍ଦିରର କେଉଁ ସବୁ ଗୋପନୀୟ ଭିଡିଓ ବା ଫଟୋ ନିଆଯାଇଛି ତାହା ସ୍ପଷ୍ଟ ହେବ।ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ସତ୍ତ୍ୱେ ଏହି ହାଇ-ଟେକ୍ ସୁରକ୍ଷାରେ ତ୍ରୁଟି କିଭଳି ହେଲା ଏବଂ ଯୁବକ ଜଣକ କୌଣସି ଅନୁମତି ନେଇଥିଲେ କି ନାହିଁ, ସେ ନେଇ ପୋଲିସ ଖୋଳତାଡ଼ କରୁଛି। ଏହି ଘଟଣା ଶ୍ରୀମନ୍ଦିରର ବାହ୍ୟ ସୁରକ୍ଷା ବଳୟ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି।