ଜୟପୁର (କୋରାପୁଟ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ୫୦ରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକାଡ଼ ବିଲକୁ ଓଲଟି ପଡ଼ିବାରୁ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ‘ଜଗା କାଳିଆ’ ନାମକ ଏହି ବସ୍‌ଟି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଗୁଣୁପୁର ଅଭିମୁଖେ ଯାଉଥିଲା। ନବରଙ୍ଗପୁରରେ ବସ୍‌ଟି କିଛି ସମୟ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବ ହୋଇଥିବାରୁ ଡ୍ରାଇଭର ଜଣକ ଦ୍ରୁତ ଗତିରେ ଜୟପୁର ଆଡ଼କୁ ବସ୍ ଚଲାଉଥିଲେ। ଆଉଁଳି ଗାଁ ନିକଟରେ ବସ୍‌ଟି ପ୍ରଥମେ ରାସ୍ତାକାଡ଼ ଡିଭାଇଡରରେ ପିଟି ହୋଇ ନିକଟସ୍ଥ ବିଲକୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବସ୍‌ର କାଚ ଭାଙ୍ଗି ଚୁରମାର୍ ହୋଇଯାଇଥିଲା ଏବଂ ଯାତ୍ରୀଙ୍କ ଜିନିଷପତ୍ର ଏଣେତେଣେ ବିଛାଡ଼ି ହୋଇପଡ଼ିଥିଲା। କିଛି ଯାତ୍ରୀ ବସ୍ ଭିତରେ ଚାପି ହୋଇ ରହିଯାଇଥିବା ବେଳେ ଅନ୍ୟମାନେ କୌଣସି ପ୍ରକାରେ ବାହାରକୁ ବାହାରିଥିଲେ।

ବିଲରେ କାମ କରୁଥିବା ନିକଟସ୍ଥ ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନବରଙ୍ଗପୁର ଓ ବୋରିଗୁମ୍ମାରୁ ଅଗ୍ନିଶମ ବାହିନୀ ପହଞ୍ଚି ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ ।ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୋରିଗୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟି କିପରି ଭାରସାମ୍ୟ ହରାଇଲା, ସେ ନେଇ ତଦନ୍ତ ଆରମ୍ଭ କରିଛି।