ଭୁବନେଶ୍ବର/ପାରଳାଖେମୁଣ୍ଡି: ଋଣ ପ୍ରଦାନ ନାମରେ ସାଧାରଣ ଲୋକଙ୍କ ମୂଲ୍ୟବାନ ସାମଗ୍ରୀ ଓ ଦସ୍ତାବିଜ ବନ୍ଧକ ରଖି ଠକେଇ କରୁଥିବା ଏକ ବଡ଼ ରାକେଟ୍ର ପର୍ଦ୍ଦାଫାଶ କରିଛି ଗଜପତି ଜିଲ୍ଲା ଅଡବା ଥାନା ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ରବୀନ୍ଦ୍ର ରେଡ୍ଡୀଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା, ଗାଡ଼ି ଓ ଦସ୍ତାବିଜ ଜବତ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଲୋକଙ୍କୁ କମ୍ ସମୟରେ ଋଣ ମିଳିବ ବୋଲି ପ୍ରଲୋଭନ ଦେଖାଇ ମୋଟରସାଇକେଲ, ସୁନା ଅଳଙ୍କାର, ମୋବାଇଲ ଫୋନ୍, ଗାଡ଼ିର କାଗଜପତ୍ର ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଜମା ନେଉଥିଲେ। ଏହା ସହ ଅନେକ କ୍ଷେତ୍ରରେ ଖାଲି ଷ୍ଟାମ୍ପ ପେପରରେ ସ୍ୱାକ୍ଷର ମଧ୍ୟ ନେଉଥିବା ଅଭିଯୋଗ ହୋଇଛି।
ଏକ ମାମଲାରେ, ପ୍ରାୟ ଛଅ ମାସ ପୂର୍ବେ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ ଓ ସମ୍ପର୍କିତ କାଗଜପତ୍ର ବନ୍ଧକ ରଖି ୨୦ ହଜାର ଟଙ୍କା ଋଣ ନେଇଥିଲେ। ପରେ ସେ ଟଙ୍କା ଫେରସ୍ତ କରି ଗାଡ଼ି ଫେରତ ମାଗିଥିଲେ ମଧ୍ୟ ଅଭିଯୁକ୍ତ ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଚାଲିଥିଲେ ଏବଂ ଶେଷରେ ଗାଡ଼ି ଫେରାଇବାକୁ ମନା କରିଥିଲେ।
ଅଭିଯୋଗ ଆଧାରରେ ଆର୍. ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ରାକେଶ ସାହୁଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ପୁଲିସ ୩,୬୧,୨୦୦ ଟଙ୍କା ନଗଦ, ୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍, ବିଭିନ୍ନ ଗାଡ଼ିର ଆର୍ସି, ସ୍ମାର୍ଟ କାର୍ଡ, ଷ୍ଟାମ୍ପ ପେପର ଓ ଚୁକ୍ତିପତ୍ର ଜବତ କରିଛି।
ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ଯେ, ଏହି ଉପାୟରେ ଅନେକ ଲୋକଙ୍କୁ ଠକାଯାଇଥାଇପାରେ। ଏହି ରାକେଟ୍ ସହ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ଏବଂ ଆଉ କେତେ ଲୋକ ପ୍ରଭାବିତ ହୋଇଛନ୍ତି ସେ ନେଇ ପୁଲିସ ଅଧିକ ତଦନ୍ତ ଚାଲାଇଛି।




