ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବସାଧାରଣଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଘରୋଇ ରୋଷେଇ ଗ୍ୟାସ (LPG) ସିଲିଣ୍ଡର ମୂଲ୍ୟରେ ପୁଣି ୨୯ ଟଙ୍କା ବୃଦ୍ଧି କରାଯାଇଛି। ବିଶ୍ୱ ବଜାରରେ ଶକ୍ତି ସଙ୍କଟ ଓ ଉଚ୍ଚ ମୂଲ୍ୟ ଯୋଗୁଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି। ଗତ ତିନି ମାସ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଦର ବୃଦ୍ଧି।ଇଣ୍ଡଷ୍ଟ୍ରି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୭ (ଆଜି) ଠାରୁ ଏହି ନୂଆ ଦର ଲାଗୁ ହେବ। ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କା ହୋଇଛି। ସେହିପରି ଭୁବନେଶ୍ୱରରେ ଏହି ସଂଶୋଧିତ ମୂଲ୍ୟ ୯୬୮ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବରୁ ୯୩୯ ଟଙ୍କା ଥିଲା।
ଏହା ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଥିଲା। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱସ୍ତରୀୟ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସହ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଛି, ଯାହାର ପ୍ରଭାବ ଏବେ ଘରୋଇ ବଜାର ଉପରେ ପଡ଼ିଛି।
ସୂତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ହୋଇଥିବା ଦର ବୃଦ୍ଧି ସତ୍ତ୍ୱେ କମ୍ପାନୀଗୁଡ଼ିକର କ୍ଷତି ଭରଣା ହୋଇପାରି ନଥିଲା। ଏହି ସାମ୍ପ୍ରତିକ ଦର ବୃଦ୍ଧି ପୂର୍ବରୁ ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକୁ ପ୍ରତି ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୭୦୩ ଟଙ୍କାର କ୍ଷତି ସହିବାକୁ ପଡ଼ୁଥିଲା। ଗ୍ୟାସ ସହିତ ଅନ୍ୟାନ୍ୟ ଇନ୍ଧନ ଦର ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।
ପେଟ୍ରୋଲ ଓ ଡିଜେଲ: ମେ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ଲିଟର ପିଛା ସମୁଦାୟ ୭.୫୦ ଟଙ୍କା ବୃଦ୍ଧି ପାଇଛି।
ସିଏନଜି (CNG): କିଲୋଗ୍ରାମ ପିଛା ପ୍ରାୟ ୬ ଟଙ୍କା ମହଙ୍ଗା ହୋଇଛି।
ନିକଟରେ ଦର ବୃଦ୍ଧି ହୋଇଥିଲେ ମଧ୍ୟ ତୈଳ କମ୍ପାନୀଗୁଡ଼ିକ ଏବେ ବି ପେଟ୍ରୋଲ ଓ ଡିଜେଲକୁ ଏହାର ପ୍ରକୃତ ଉତ୍ପାଦନ ଖର୍ଚ୍ଚ ଠାରୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି। ଫଳରେ କମ୍ପାନୀଗୁଡ଼ିକୁ ପେଟ୍ରୋଲରେ ଲିଟର ପିଛା ପ୍ରାୟ ୧୧ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ପ୍ରାୟ ୩୩.୬ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଇନ୍ଧନର ଅସ୍ଥିରତା ସତ୍ତ୍ୱେ ସରକାର ଏହାର ସମ୍ପୂର୍ଣ୍ଣ ବୋଝ ଗ୍ରାହକଙ୍କ ଉପରେ ପକାଇ ନାହାନ୍ତି। ସରକାରୀ ତୈଳ ବିକ୍ରେତା କମ୍ପାନୀଗୁଡ଼ିକ ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରୁଛନ୍ତି।




