ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଲୁଡୁ ସୁରିନଙ୍କ ବିରୋଧରେ ଏକ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ଗ୍ରାମପଞ୍ଚାୟତ (ଓଜିପି) ଆକ୍ଟ, ୧୯୪ ର ‘ଦୁଇ ସନ୍ତାନ ନିୟମ’ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କର ସରପଞ୍ଚ ପଦବୀ ରଦ୍ଦ (Disqualification) କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସୁପାରିଶ କରିଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ରାଜକିଶୋର ନାୟକ ଏବଂ ଅନ୍ୟମାନେ ଏକ ଅଭିଯୋଗ ପତ୍ର ଦାଖଲ କରି ଦର୍ଶାଇଥିଲେ ଯେ, ସରପଞ୍ଚ ଲୁଡୁ ସୁରିନ ପଞ୍ଚାୟତ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ନିଜ ସନ୍ତାନମାନଙ୍କ ସମ୍ପର୍କରେ ମିଥ୍ୟା ଓ ଭୁଲ ତଥ୍ୟ ଦେଇଥିଲେ। ଏହି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ଏକାଧିକ ନୋଟିସ୍ ଜାରି କରାଯାଇଥିଲା। ମାତ୍ର ସେ ନୋଟିସ୍ ଗ୍ରହଣ କରିବା ସତ୍ତ୍ୱେ କୌଣସି ଶୁଣାଣିରେ ହାଜର ହୋଇନଥିଲେ।

ଏହାପରେ କପ୍ତିପଦା ବ୍ଲକ ଉନ୍ନୟନ ଅଧିକାରୀ (BDO), କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ (BEO) ଙ୍କ ରିପୋର୍ଟ ଆଧାରରେ ଯାଞ୍ଚ କରାଯାଇଥିଲା। ଏହି ସରକାରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ସରପଞ୍ଚ ସୁରିନଙ୍କର ମୋଟ ଚାରି ଜଣ ସନ୍ତାନ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଦୁଇ ଜଣ ସନ୍ତାନ ଓଡ଼ିଶା ଗ୍ରାମପଞ୍ଚାୟତ (ସଂଶୋଧନ) ଆକ୍ଟ, ୧୯୯୪ ଲାଗୁ ହେବା ପରେ ଜନ୍ମଗ୍ରହଣ କରିଛନ୍ତି।

ଗତ ଅପ୍ରେଲ ୨୩, ୨୦୨୬ ରେ ଜିଲ୍ଲାପାଳଙ୍କ ପକ୍ଷରୁ ସରପଞ୍ଚଙ୍କୁ ସେମାନଙ୍କ ପକ୍ଷରୁ ପ୍ରମାଣପତ୍ର ସହ ଲିଖିତ ସ୍ପଷ୍ଟୀକରଣ ଦେବା ପାଇଁ ଶେଷ ସୁଯୋଗ ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରପଞ୍ଚଙ୍କ ତରଫରୁ କୌଣସି ଉତ୍ତର ମିଳିନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସରପଞ୍ଚ କୌଣସି ସହଯୋଗ ନକରିବାରୁ ମୟୂରଭଞ୍ଜ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକଙ୍କୁ ଏକ ଆଧିକାରୀକ ପତ୍ର ଲେଖିଛନ୍ତି। ଓଜିପି ଆକ୍ଟ, ୧୯୪ ର ଧାରା ୨୫(v) ଅନୁଯାୟୀ ସରପଞ୍ଚ ଲୁଡୁ ସୁରିନଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି। ଏହି ସୂଚନା ସମ୍ପର୍କିତ ନକଲ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉପ-ଜିଲ୍ଲାପାଳ ଏବଂ କପ୍ତିପଦା ବିଡିଓଙ୍କୁ ମଧ୍ୟ ପଠାଇ ଦିଆଯାଇଛି। ସରକାରୀ ନିୟମ ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ପାଇଁ ଅଯୋଗ୍ୟ ହୋଇଥିବାରୁ ଏବେ ସରପଞ୍ଚଙ୍କ ଗାଦି ଚାଲିଯିବା ପ୍ରାୟ ନିଶ୍ଚିତ ହୋଇଛି।