ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିଜେପି ସରକାର ଉପରକୁ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଏବଂ ଚାରିଆଡ଼େ ‘ଗୁଣ୍ଡାରାଜ୍’ ଚାଲିଥିବା ସେ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି।
ବ୍ରହ୍ମପୁରର ଗିରି ରୋଡ୍ରେ ଜଣେ ଯୁବକ ଓ ଯୁବତୀଙ୍କୁ ଦିନଦ୍ୱିପ୍ରହରରେ ବର୍ବରୋଚିତ ଭାବେ ଆକ୍ରମଣ କରାଯିବା ଘଟଣାକୁ ନେଇ ନବୀନ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଘଟଣା ସମଗ୍ର ଓଡ଼ିଶାର ବିବେକକୁ ଦୋହଲାଇ ଦେଇଛି ବୋଲି ସେ କହିଛନ୍ତି।
ଏକ କଡ଼ା ବିବୃତି ଜାରି କରି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶା ଆଜି ଅରାଜକତାର ଏକ ଭୟାନକ ରୂପ ଦେଖୁଛି। ଏହା ବିଜେପିର ଶାସନ ଭଳି ଲାଗୁନାହିଁ, ବରଂ ଚାରିଆଡ଼େ ଗୁଣ୍ଡାରାଜ୍ ମାତିଥିବା ପରି ମନେହେଉଛି। ବ୍ରହ୍ମପୁର ଗିରି ରୋଡ୍ରେ ଦିନଦ୍ୱିପ୍ରହରରେ ଜଣେ ଯୁବକ ଓ ଯୁବତୀଙ୍କୁ ପିଟିପିଟି ମରଣାସନ୍ନ କରିବା ଏକ ସମ୍ପୂର୍ଣ୍ଣ ଅମାନୁଷିକ ଘଟଣା।”
ବର୍ତ୍ତମାନର ସରକାର ଅମଳରେ ଅପରାଧୀଙ୍କ ସାହସ ବଢ଼ିଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ନବୀନ ପ୍ରଶ୍ନ କରିଛନ୍ତି, “ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି କି? ପୋଲିସ ପ୍ରଶାସନ ଆଜି କେଉଁଠି ଅଛି? ଆଇନର ଶାସନ କାହିଁ?”
ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି ନବୀନ କହିଛନ୍ତି ଯେ, ବିଜେପି ସରକାର କେବଳ ବଡ଼ ବଡ଼ ଭାଷଣ ଦେଉଛି, କିନ୍ତୁ ସାଧାରଣ ଲୋକଙ୍କ ସୁରକ୍ଷାକୁ ବିପନ୍ନ କରୁଛି। ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବାରୁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି ବୋଲି ସେ ଚେତାବନୀ ଦେଇଛନ୍ତି।
ଅପରାଧୀଙ୍କୁ ସୁରକ୍ଷା ଦେବା ବନ୍ଦ କରି ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଲୋକଙ୍କ ମନରେ ସୁରକ୍ଷା ଭାବ ଫେରାଇ ଆଣିବାକୁ ସେ ବିଜେପି ସରକାରଙ୍କ ନିକଟରେ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗିରି ରୋଡ୍ରେ ଜଣେ ଯୁବ ଦମ୍ପତିଙ୍କୁ କିଛି ଯୁବକ ବାଉଁଶ ବାଡ଼ିରେ ନିର୍ମମ ଭାବେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସର୍ବସାଧାରଣ ସ୍ଥାନରେ ଦିନଦ୍ୱିପ୍ରହରରେ ଘଟିଥିବା ଏହି ଆକ୍ରମଣର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି।




