ଭୁବନେଶ୍ୱର: ରାଜ୍ୟରେ, ବିଶେଷ କରି ବ୍ରହ୍ମପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ନେଇ ସୋମବାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଅମ୍ବିକା ନଗରରେ ଦିନଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ଆକ୍ରମଣ କରାଯିବା ଘଟଣାକୁ ନବୀନ ପଟ୍ଟନାୟକ ଏକ ଟ୍ୱିଟ୍ ମାଧ୍ୟମରେ ‘ସ୍ତବ୍ଧକାରୀ’ ଏବଂ ‘ନାରକୀୟ’ ବୋଲି ଅଭିହିତ କରିଛନ୍ତି ।
ସେ କହିଛନ୍ତି, “କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣର ଚିତ୍ର ମନରୁ ନଲିଭୁଣୁ, ପୁଣି ଏଭଳି ଏକ ଘଟଣା ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଦେଇଛି ।”ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ସମଗ୍ର ଓଡ଼ିଶାରେ ‘ଗୁଣ୍ଡାରାଜ’ ବ୍ୟାପିବାରେ ଲାଗିଛି, ଯାହା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।
ପୋଲିସର ଏନକାଉଣ୍ଟର ଚେତାବନୀ ସତ୍ତ୍ୱେ ଅପରାଧୀମାନେ ନିର୍ଭୟରେ ରାଜପଥରେ ଅପରାଧ ଘଟାଉଛନ୍ତି, ଯାହା ଶାସନ ବ୍ୟବସ୍ଥାର ଚରମ ବିଫଳତାକୁ ପଦାରେ ପକାଇ ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି, “ଅପରାଧୀମାନେ ନିର୍ଭୟରେ ହାଇୱେରେ ମଧ୍ୟ ଅପରାଧ କରୁଛନ୍ତି, ଯାହା ଶାସନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତାକୁ ଦର୍ଶାଉଛି ।” କେବଳ ବଡ଼ ବଡ଼ ଭାଷଣ ନଦେଇ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଆଇନର ଶାସନ ପ୍ରତିଷ୍ଠା ପାଇଁ ତୁରନ୍ତ ସତର୍କ ହୋଇ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ନବୀନ ପଟ୍ଟନାୟକ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।




