ନୟାଗଡ଼: ବାଲିଅନ୍ତା ହତ୍ୟାକାଣ୍ଡର ରକ୍ତ ଶୁଖିନଥିବା ବେଳେ ଏବେ ନୟାଗଡ଼ ଜିଲ୍ଲାରୁ ଆସିଛି ଏକ ଅତି ବିଭତ୍ସ ଖବର। ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହାଣିବା ସହ ତାଙ୍କ ଶରୀରରୁ ଦୁଇଟି ଯାକ ହାତ କାଟି ଅଲଗା କରିଦେଇଛନ୍ତି। ମୃତ ଯୁବକ ଜଣକ ହେଲେ ଅଜିତ କୁମାର ସାହୁ।

ସୂଚନା ଅନୁଯାୟୀ, ଓଡ଼ଗାଁ ଥାନାଠାରୁ ମାତ୍ର ୨ କିଲୋମିଟର ଦୂର କଦଳୀବନ୍ଧ ଗ୍ରାମ ନିକଟରେ ସୋମବାର ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ରାତି ପ୍ରାୟ ୧ଟା ସମୟରେ ଅଜିତ ଏବଂ ତାଙ୍କ ବନ୍ଧୁ ସନ୍ତୋଷ କୁମାର ପ୍ରଧାନ ସେହି ଅଞ୍ଚଳ ଦେଇ ଯାଉଥିବା ଦୁଇଟି ପଥର ବୋଝେଇ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପଥର ମାଫିଆଙ୍କ ସହ ସେମାନଙ୍କର ବଚସା ହୋଇଥିଲା।

ଉତ୍ୟକ୍ତ ମାଫିଆ ଓ ସେମାନଙ୍କ ସହଯୋଗୀମାନେ ଧାରୁଆ ଅସ୍ତ୍ରରେ ଅଜିତଙ୍କ ଉପରେ ସଂଘାତିକ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଅଜିତଙ୍କ ଦୁଇଟି ଯାକ ହାତ କଟି ଶରୀରରୁ ଅଲଗା ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ, ସନ୍ତୋଷ ସେଠାରୁ ଖସିଯାଇ ନିକଟସ୍ଥ ଏକ ଢାବାରେ ଆଶ୍ରୟ ନେଇ ନିଜ ଜୀବନ ରକ୍ଷା କରିଥିଲେ।

ଆଜି ସକାଳେ ରାସ୍ତାକଡ଼ରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଓ ଗ୍ରାମବାସୀ ଶବକୁ ରାସ୍ତା ଉପରେ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପଥର ମାଫିଆଙ୍କ ସମ୍ପୃକ୍ତି ନେଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ହତ୍ୟାକାରୀମାନେ ଘଟଣାସ୍ଥଳରୁ ଫେରାର ଅଛନ୍ତି।