ଭୁବନେଶ୍ବର: ପଡ଼ୋଶୀ ନେପାଳରେ ବୁଧବାର ଦେଖାଦେଇଥିବା ଭୟଙ୍କର ଆକସ୍ମିକ ବନ୍ୟା ପରେ ନିଖୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଲୋକ ଥିବା ଆଶଙ୍କାକୁ ନେଇ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ପକ୍ଷରୁ ୨୪x୭ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ନେପାଳରେ ବିପଦରେ ଥିବା କିମ୍ବା ନିଜ ପରିଜନଙ୍କ ସହ ଯୋଗାଯୋଗ କରିପାରୁନଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଏହାର ଉଦ୍ଦେଶ୍ୟ।
ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଯେକୌଣସି ଜରୁରୀ ସହାୟତା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ରେ ଯୋଗାଯୋଗ କରାଯାଇପାରିବ। ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା ୦୧୧-୨୩୦୧୨୮୦୭, ୭୪୨୮୧୩୫୦୪୪ ଓ ୮୫୨୭୫୮୦୨୪୫।
ଏହା ବ୍ୟତୀତ ନେପାଳରେ ଥିବା ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟର ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଏଥିରେ +୯୭୭ ୯୮୫୧୩୧୬୮୦୭ ଓ +୯୭୭ ୯୭୦୯୧୦୭୫୦୦ ନମ୍ବରରେ ଯୋଗାଯୋଗ କରିହେବ।
ନେପାଳରେ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଅନେକ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ନେପାଳରେ ଥିବା ଓଡ଼ିଆଙ୍କ ପରିବାରବର୍ଗଙ୍କ ପାଇଁ ଏହି ହେଲ୍ପଲାଇନ୍ ଗୁରୁତ୍ୱପୂର୍ଣ୍ଣ ସହାୟତା ମାଧ୍ୟମ ହେବ।




