ଭୁବନେଶ୍ୱର: ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଓଡ଼ିଶା ସରକାର ଶ୍ରମିକମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୈନିକ ମଜୁରୀ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଭାଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଥିଲା। ନୂତନ ଦର ଅନୁସାରେ, ଅଣକୁଶଳୀ ଶ୍ରମିକଙ୍କୁ ପ୍ରତିଦିନ ୪୭୨ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୫୨୨ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କୁ ୫୭୨ ଟଙ୍କା ମଜୁରୀ ମିଳିବ। ସେହିପରି ଅତିକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୨୨ ଟଙ୍କାକୁ ବୃଦ୍ଧି କରାଯାଇଛି।

ସରକାରଙ୍କ ସୂଚନା ଅନୁଯାୟୀ, ବୃଦ୍ଧିତ ମଜୁରୀ ଏପ୍ରିଲ ୧ ତାରିଖରୁ ପ୍ରଭାବୀ ହୋଇସାରିଛି। ଏହି ପଦକ୍ଷେପ ଶ୍ରମିକମାନଙ୍କ ଆର୍ଥିକ ସ୍ଥିତି ସୁଧାର ଏବଂ ଜୀବନମାନ ବୃଦ୍ଧିରେ ସହାୟକ ହେବ ବୋଲି ସରକାର କହିଛନ୍ତି।