ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ତାଙ୍କ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆ ‘ଏକ୍ସ’ (X) ରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଏବଂ ତାଙ୍କ ସରକାର ବନ୍ୟା ପରିସ୍ଥିତି ଉପରେ କ୍ଷଣେ କ୍ଷଣେ ନଜର ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ ସହ ଆଲୋଚନା କରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ନିରାପତ୍ତା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣଙ୍କୁ ଭୟଭୀତ ନହେବାକୁ ଆଶ୍ୱାସନା ଦେଇ ସେ କହିଛନ୍ତି, “ସରକାର ପ୍ରତିଟି ପାଦରେ ଆପଣଙ୍କ ସହ ଛିଡ଼ା ହୋଇଛନ୍ତି। ପ୍ରଶାସନର ପରାମର୍ଶ ମାନି ସୁରକ୍ଷିତ ରୁହନ୍ତୁ।”
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ:
- ୩ ବରିଷ୍ଠ ଆଇଏଏସ୍ଙ୍କୁ ଦାୟିତ୍ୱ: ଅଧିକ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସରସରଜମିନ୍ ତଦାରଖ ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
- ୨୪×୭ କଣ୍ଟ୍ରୋଲ୍ ରୁମ୍: ଏସଆରସି ଅଫିସ୍ ଓ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟା ଖୋଲା ରଖାଯାଇଛି।
- ଉଦ୍ଧାରକାରୀ ଦଳ ନିୟୋଜିତ: ଏନ୍ଡିଆର୍ଏଫ୍ (NDRF), ଓଡ଼ରାଫ୍ (ODRAF), ଅଗ୍ନିଶମ ସେବା ଓ ପୋଲିସ ବାହିନୀକୁ ଆଲର୍ଟରେ ରଖାଯାଇଛି। ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।
- ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ସୁବିଧା: ଆଶ୍ରୟସ୍ଥଳୀଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ, ସ୍ୱାସ୍ଥ୍ୟସେବା, ସାପକାମୁଡ଼ା ଇଞ୍ଜେକ୍ସନ (Anti-venom) ଏବଂ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଘରଦ୍ୱାର ସୁରକ୍ଷା ପାଇଁ ଗାଁଗୁଡ଼ିକରେ ରାତ୍ରିକାଳୀନ ପୋଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବୈତରଣୀ ଓ ଶାଳନ୍ଦୀ ଭଳି ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। କ୍ଷତିଗ୍ରସ୍ତ ଘର ଓ ଫସଲ ପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।




