ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଓ ସଂସ୍କୃତିକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ନାମରେ ଏକ ସ୍ୱତନ୍ତ୍ର ଟେଲିଭିଜନ ଚ୍ୟାନେଲ୍ ଆରମ୍ଭ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।ଗୁରୁବାର ଦିନ ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରସ୍ତାବିତ ‘ଜଗନ୍ନାଥ ଟିଭି’ ଚ୍ୟାନେଲ୍ ମାଧ୍ୟମରେ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି, ମହାନ ପର୍ବପର୍ବାଣୀ ଏବଂ ଜଗନ୍ନାଥ ସଂସ୍କୃତିର ସମୃଦ୍ଧ ପରମ୍ପରାକୁ ସିଧାସଳଖ ପ୍ରସାରଣ କରାଯିବ।
ବିଶ୍ୱ ଦରବାରରେ ପହଞ୍ଚିବ ଜଗନ୍ନାଥ ସଂସ୍କୃତି
ପ୍ରାଥମିକ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ଯେ, ଏହି ଚ୍ୟାନେଲ୍ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ଜଗନ୍ନାଥ ସଂସ୍କୃତିକୁ ଉପସ୍ଥାପନ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ। ଏହାସହ ଜଗନ୍ନାଥ ତତ୍ତ୍ୱ ଉପରେ ଗବେଷଣା ଏବଂ କୋଟି କୋଟି ଭକ୍ତଙ୍କ ଆବେଗକୁ ସ୍ଥାନ ଦେବ। ସରକାର ଏହି ଦିଗରେ ଖୁବ୍ ଶୀଘ୍ର ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିବେ।
ଏହି ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଚ୍ୟାନେଲରେ ଭକ୍ତି, ସଂସ୍କୃତି, ଶିକ୍ଷା ଏବଂ ମନୋରଞ୍ଜନର ସଠିକ୍ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଛି। ସାରା ବିଶ୍ୱର ଲୋକେ ଯେପରି ନିଜ ଘରେ ବସି ମହାପ୍ରଭୁଙ୍କ ଦର୍ଶନ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିପାରିବେ, ତାହା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ, ମହାପ୍ରଭୁଙ୍କ କାଳଜୟୀ ବାର୍ତ୍ତା ଏଣିକି ଟେଲିଭିଜନ ପରଦା ମାଧ୍ୟମରେ ସାରା ବିଶ୍ୱରେ ଗୁଞ୍ଜରିତ ହେବ।




