କଟକ: ଓଡ଼ିଶା ପୋଲିସର ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବା ଏବଂ ଅଦାଲତ ଅବମାନନା ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
କାହିଁକି ଜାରି ହେଲା ନୋଟିସ୍?
୨୦୨୫ ସେପ୍ଟେମ୍ବର ୨୫ ତାରିଖରେ ହାଇକୋର୍ଟ ଦେଇଥିବା ଆଦେଶକୁ ଜାଣିଶୁଣି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ତାଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ସାଗରିକା ପରିଡ଼ାଙ୍କ ଦ୍ୱାରା ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ସାଗରିକା ପରିଡ଼ା ୨୦୧୭ ମସିହାରେ ପୋଲିସ ସବ୍-ଇନ୍ସପେକ୍ଟର (SI) ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ସମୟରେ ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନଥିବା ସେ ତଥ୍ୟ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏରସମା ଥାନାରେ ତାଙ୍କ ନାଁରେ ପୂର୍ବରୁ ୩ଟି ମାମଲା ଥିବା ଅଭିଯୋଗ ହୋଇଥିଲା, ଯାହା ଫଳରେ ୨୦୨୦ ନଭେମ୍ବର ୧୨ରେ ତାଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା।
ସାଗରିକା କୋର୍ଟରୁ ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ହାଇକୋର୍ଟ ତାଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରିବା ସହ ସମସ୍ତ ଆର୍ଥିକ ଓ ଚାକିରିଗତ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ଏହି ସ୍ପଷ୍ଟ ନିର୍ଦ୍ଦେଶକୁ ସମୟସୀମା ମଧ୍ୟରେ ପାଳନ କରାଯାଇ ନଥିବାରୁ ଏବଂ କୋର୍ଟରେ ବିଭ୍ରାନ୍ତିମୂଳକ ତଥ୍ୟ ଦିଆଯାଇଥିବାରୁ ପୂର୍ବତନ ଡିଜିପି ଖୁରାନିଆ ଏବେ ଆଇନଗତ ସଙ୍କଟରେ ପଡ଼ିଛନ୍ତି।




