ଭୁବନେଶ୍ୱର: ରାଜ୍ୟର ଛାତ୍ରୀମାନଙ୍କୁ ବୈଷୟିକ କ୍ଷେତ୍ରରେ ଅଧିକ ଦକ୍ଷ ଓ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଏବଂ ‘ଏଡୁନେଟ୍ ଫାଉଣ୍ଡେସନ’ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ଅଧୀନରେ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ, ଯେଉଁଥିରେ ୧,୦୦୦ ଜଣ ଛାତ୍ରୀଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଏହାର ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା ଉପରେ ମାଗଣା ପ୍ରଶିକ୍ଷଣ ଦିଆଯିବ। ଦ୍ରୁତ ଗତିରେ ବଢ଼ୁଥିବା ଆଇଟି ସେକ୍ଟରରେ ଛାତ୍ରୀମାନଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଉଚ୍ଚଶିକ୍ଷା କମିଶନର-ତଥା-ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଏଡୁନେଟ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଆଶିଷ ଆରୋରାଙ୍କ ଉପସ୍ଥିତିରେ ଶନିବାର ଦିନ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ମାଇକ୍ରୋସଫ୍ଟ’ ଯୌଥ ଭାବେ ସହଯୋଗ କରୁଛି। ଏହା ଅଧୀନରେ ଛାତ୍ରୀମାନଙ୍କୁ ୨୪୦ ଘଣ୍ଟାର ପାଠ୍ୟକ୍ରମ ଏବଂ ବ୍ୟାବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯିବ।

କେଉଁସବୁ ବିଷୟରେ ମିଳିବ ଟ୍ରେନିଂ?

ଏହି କାର୍ଯ୍ୟକ୍ରମରେ ବଜାରରେ ସର୍ବାଧିକ ଚାହିଦା ଥିବା ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ସାମିଲ କରାଯାଇଛି, ଯେପରିକି:ଡାଟା ସାଇନ୍ସ, ମେସିନ୍ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି, ପାଇଥନ ପ୍ରୋଗ୍ରାମିଂ, ଡାଟା ଆନାଲିଟିକ୍ସ