ଭୁବନେଶ୍ବର: ରାଜ୍ୟର ସମସ୍ତ ଥାନାରେ ଏଣିକି ପ୍ରତିଦିନ ସକାଳ ୯ଟା ସୁଦ୍ଧା ବ୍ରିଫିଂ ପରେଡ୍ ଅନୁଷ୍ଠିତ ହେବ। ଡିଜିପି ୱାଇ ବି ଖୁରାନିଆ ଏହି ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବ୍ରିଫିଂ ପରେଡ୍ର ନିୟମିତ ମନିଟରିଂ କରିବାକୁ ସମସ୍ତ ପୁଲିସ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଥାନାରେ ଅବହେଳା କିମ୍ବା ଅନିୟମିତତା ଦେଖାଦେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ସତର୍କ କରାଇଛନ୍ତି।
ଆଜି ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ଆଇନ ଶୃଙ୍ଖଳା ସମୀକ୍ଷା ବୈଠକରେ ଡିଜିପି ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ପୁଲିସ-ଜନସାଧାରଣ ସମନ୍ୱୟ ଏବଂ ପୁଲିସିଂ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା।
ଡିଜିପି କହିଛନ୍ତି ଯେ, ବ୍ରିଫିଂ ପରେଡ୍ ସମୟରେ ସମ୍ପୃକ୍ତ ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧପ୍ରବଣ ଅଞ୍ଚଳ, ଅପରାଧୀଙ୍କ ଚଳନ ଓ ଚାଲୁଥିବା ତଦନ୍ତ ସମ୍ପର୍କରେ ସମୀକ୍ଷା କରାଯିବ। ଏହା ଦ୍ୱାରା ଥାନାସ୍ତରରେ ସତର୍କତା, ସମନ୍ୱୟ ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
ସେହିପରି ଜରୁରୀକାଳୀନ ସହାୟତା ଯାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜାମିନବିହୀନ ପରୱାନା (ଏନ୍ବିଡବ୍ଲ୍ୟୁ)ର ତ୍ୱରିତ କାର୍ଯ୍ୟକାରିତା, ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ଏବଂ ନିଶା କାରବାର ବିରୋଧରେ ଜୋରଦାର ଚଢ଼ଉ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି।
ହତ୍ୟା ଭଳି ସଂଗିନ୍ ମାମଲାକୁ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟମିତ ମନିଟରିଂ କରିବେ ବୋଲି ସେ କହିଛନ୍ତି। ଅଭିଯୁକ୍ତଙ୍କ ଗିରଫଦାରୀ, ଦୃଢ଼ ତଦନ୍ତ ଓ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ପ୍ରଭାବଶାଳୀ ପଦକ୍ଷେପ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଡିଜିପି ଆହୁରି କହିଛନ୍ତି ଯେ, ସମସ୍ତ ଥାନା ଅଞ୍ଚଳରେ ବିଟ୍ ପାଟ୍ରୋଲିଂକୁ ସକ୍ରିୟ କରିବା ସହ ଜାତୀୟ ରାଜପଥରେ ପାଟ୍ରୋଲିଂ ବୃଦ୍ଧି କରାଯିବ। ଅସଦାଚରଣ ଓ ଅପରାଧପ୍ରବଣ ଘଟଣା ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିବ। ଆଗାମୀ ୧୫ ଦିନ ମଧ୍ୟରେ ପୁଲିସର ସକାରାତ୍ମକ କାର୍ଯ୍ୟ ଓ ଜନସେବାମୂଳକ ଭୂମିକା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ବୈଠକରେ ଡିଜିପି (କ୍ରାଇମ୍ବ୍ରାଞ୍ଚ୍) ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର୍ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।




