ଭୁବନେଶ୍ୱର: ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR) ୨୦୨୫–୨୬ ଅଧୀନରେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟ ସ୍ତରରେ ପୁରସ୍କାର ଏବଂ ସ୍ୱୀକୃତି ପାଇଁ ଚୟନ ହୋଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ସଫଳତା ହାସଲ କରିଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶାର ପ୍ରାୟ ୨୦ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମାଙ୍କନ କରାଯାଇଥିଲା। ସେଥିରୁ ୧୦ଟି ବିଦ୍ୟାଳୟ ଅନ୍ତିମ ପର୍ଯ୍ୟାୟରେ ଚୟନ ହୋଇ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି।

ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନରେ ବିଦ୍ୟାଳୟଗୁଡ଼ିକୁ ମୁଖ୍ୟତଃ—

  • ପରିମଳ ଏବଂ ପରିଚ୍ଛନ୍ନତା
  • ନିରାପଦ ପାନୀୟ ଜଳ ବ୍ୟବସ୍ଥା
  • ସବୁଜ ପରିବେଶ ଓ ଜୈବ ବିବିଧତା
  • ବର୍ଜ୍ୟବସ୍ତୁ ପରିଚାଳନା
  • ପରିବେଶବନ୍ଧବ ଅଭ୍ୟାସ

ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇଥାଏ।

ଏହି ସ୍ୱୀକୃତି ରାଜ୍ୟର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମୁଦାୟର ସମନ୍ୱିତ ପ୍ରୟାସର ପ୍ରତିଫଳନ ବୋଲି କୁହାଯାଉଛି। ଏହା ମାଧ୍ୟମରେ ବିଦ୍ୟାଳୟ ସ୍ତରରୁ ପରିବେଶ ସଚେତନତା ଏବଂ ସୁସ୍ଥ ଜୀବନଶୈଳୀକୁ ଆଗକୁ ନେବାରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଉଥିବା ଦର୍ଶାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୧୯୧ଟି ବିଦ୍ୟାଳୟକୁ SHVR ୨୦୨୫–୨୬ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ସ୍ୱୀକୃତି ପ୍ରମାଣପତ୍ର ଏବଂ ତିନି ଦିନିଆ ଏକ୍ସପୋଜର ଭ୍ରମଣରେ ଯୋଗଦେବାର ସୁଯୋଗ ପ୍ରଦାନ କରାଯିବ।