ଭୁବନେଶ୍ୱର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯାଉଥିବାବେଳେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି।
ଯୋଗ୍ୟ ଭୋଟରଙ୍କ ଚିହ୍ନଟ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ସହ ଭୋଟର ପରିଚୟପତ୍ରରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଛି। ପ୍ରଥମ ଦିନରେ ବିଏଲଓମାନଙ୍କ ଦ୍ୱାରା ୨ ଲକ୍ଷ ୫୯ ହଜାର ୧୬୬ ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି।
ଦୁଇଟି ଲେଖାଏଁ ପରିଗଣନା ଫର୍ମ ପ୍ରଦାନ
ଘରକୁ ଘର ସର୍ଭେ ସମୟରେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-୩) ଦିଆଯାଉଛି। ଭୋଟର ଫର୍ମ ପୂରଣ କରିବା ପରେ ଗୋଟିଏ ନକଲ ବିଏଲଓଙ୍କୁ ଦେଉଥିବାବେଳେ ଅନ୍ୟ ନକଲରେ ବିଏଲଓଙ୍କ ଦସ୍ତଖତ ସହ ରସିଦ ବା ସ୍ୱୀକୃତିପତ୍ର ଭାବେ ଫେରସ୍ତ କରାଯାଉଛି। ଏହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସଂରକ୍ଷିତ ରଖିବାକୁ କୁହାଯାଇଛି।
୩୩ ହଜାରରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ
ଏହି ସଂଶୋଧନ ପ୍ରକ୍ରିୟାରେ ରାଜ୍ୟର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସକ୍ରିୟ ଭୂମିକା ନେଇଛନ୍ତି। ବିଭିନ୍ନ ଦଳ ପକ୍ଷରୁ ମୋଟ ୩୩ ହଜାର ୨୬ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରାଯାଇଛନ୍ତି।
- ବିଜେପି – ୧୯,୩୮୦ ଜଣ
- ବିଜେଡି – ୮,୮୮୧ ଜଣ
- କଂଗ୍ରେସ – ୪,୬୫୮ ଜଣ
- ସିପିଆଇ(ଏମ୍) – ୬୦ ଜଣ
- ବିଏସ୍ପି – ୪୭ ଜଣ
ଅନ୍ଲାଇନ୍ରେ ମଧ୍ୟ ମିଳିବ ଫର୍ମ
ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ଅଧିକୃତ ୱେବସାଇଟ୍ରୁ ମଧ୍ୟ ପରିଗଣନା ଫର୍ମ ଡାଉନଲୋଡ୍ କରିପାରିବେ। ଫର୍ମ ପୂରଣ କରିବା ପରେ ସେହି ଫର୍ମକୁ ସମ୍ପୃକ୍ତ ବିଏଲଓଙ୍କ ନିକଟରେ ଦାଖଲ କରାଯାଇପାରିବ।
ନିର୍ବାଚନ କର୍ତ୍ତୃପକ୍ଷଙ୍କ ମତରେ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ସର୍ଭେ ସମୟରେ ଭୋଟରମାନଙ୍କୁ ବିଏଲଓମାନଙ୍କ ସହ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।




