ଭୁବନେଶ୍ୱର: ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟି ଓ ଅନିୟମିତତା ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଏବେ ନିଜର ଖୋଳତାଡ଼କୁ ଆହୁରି ଜୋରଦାର କରିଛି। ଏହି ପ୍ରକ୍ରିୟାରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି।

ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ ଏବଂ ପ୍ରକାଶନରେ ହୋଇଥିବା କଥିତ ଅନିୟମିତତାକୁ ନେଇ ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। କ୍ରାଇମବ୍ରାଞ୍ଚର ଜଣେ ଡିଏସପିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ବହୁଚର୍ଚ୍ଚିତ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି। ପାଠ୍ୟପୁସ୍ତକ ଲେଖାଯିବା ଠାରୁ ଆରମ୍ଭ କରି ଏହାର ମୁଦ୍ରଣ, ମଞ୍ଜୁରୀ ଏବଂ ବିତରଣ ପର୍ଯ୍ୟନ୍ତ ପ୍ରତିଟି ସ୍ତରକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୦୦ ରୁ ଅଧିକ ଗୁରୁତର ତଥ୍ୟଗତ, ବ୍ୟାକରଣଗତ ଏବଂ ମୁଦ୍ରଣ ଜନିତ ତ୍ରୁଟି ମିଳିଥିଲା। SCERT ର ବର୍ତ୍ତମାନର ନିର୍ଦ୍ଦେଶକଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଥିଲା। ପୂର୍ବରୁ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ଆଧାରରେ ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଓ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା।

ସରକାର ଏହି ବ୍ୟାପକ ତ୍ରୁଟି ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିବା ଆଶଙ୍କା କରି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପୂର୍ବତନ ନିର୍ଦ୍ଦେଶକଙ୍କୁ ପଚରାଉଚରା କରାଯାଉଥିବାରୁ ଏହି ମାମଲାରେ ଆଗକୁ କିଛି ବଡ଼ ଖୁଲାସା ହେବା ସହ ଅନେକ ସମ୍ପୃକ୍ତ ଅଧିକାରୀଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।