ଭୁବନେଶ୍ୱର: ଓଡ଼ିଶାରୁ ଗୁଜରାଟ ଓ ସିଲଭାସାକୁ ଚୋରା ଚାଲାଣ ହେଉଥିବା ବାଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଗୁଜରାଟର ଭଲସାଡ୍ ପୋଲିସ। ଭଲସାଡ୍ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ପକ୍ଷରୁ ଚଢ଼ାଉ କରାଯାଇ ୪୨.୧୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୧.୦୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ଭଲସାଡ୍ ଆରକ୍ଷୀ ଅଧୀକ୍ଷକ (SP) ଯୁବରାଜସିଂହ ଜାଡେଜାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ମାଦକ ଦ୍ରବ୍ୟ କାରବାର ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି କ୍ରମରେ SOG ଟିମ୍‌କୁ ଗୁପ୍ତ ସୂଚନା ମିଳିବା ପରେ ଭାପିର ଗୀତାନଗର ପୋଲିସ ଚୌକି ନିକଟରେ ପୋଲିସ ଛକି ରହିଥିଲା। ପୋଲିସ ନିରୀକ୍ଷକ ଡି.ଡି. ପାରମାର ଏବଂ ସବ୍-ଇନ୍ସପେକ୍ଟର ଏସ୍.ଆର୍. ସୁସଲାଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଯୁକ୍ତ ସଞ୍ଜୟ ଓରଫ୍ ସଞ୍ଜୟ ମାରୱାଡ଼ି (୨୬)କୁ କାବୁ କରାଯାଇଥିଲା।

ଗିରଫ ସଞ୍ଜୟ ବର୍ତ୍ତମାନ ସିଲଭାସାର ଆମଲି ଅଞ୍ଚଳରେ ରହୁଥିବା ବେଳେ ତାଙ୍କର ମୂଳ ଘର ରାଜସ୍ଥାନର ପାଲି ଜିଲ୍ଲାରେ। ତାଙ୍କ ନିକଟରୁ କୌଣସି ବୈଧ ପାସ୍ କିମ୍ବା ପରମିଟ୍ ନଥାଇ ୫ଟି ବ୍ୟାଗ୍‌ରେ ବୋହା ହେଉଥିବା ୪୨.୧୮୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହା ସହିତ ଗୋଟିଏ ମୋବାଇଲ୍ ଫୋନ୍, ୩,୩୦୦ ଟଙ୍କା ନଗଦ ସମେତ ମୋଟ ୨୧.୨୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

ଏହି ମାମଲାରେ ଭାପି ଟାଉନ୍ ଥାନାରେ NDPS ଆକ୍ଟ ୧୯୮୫ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଓଡ଼ିଶାର କେଉଁ ସ୍ଥାନରୁ ଏହି ଗଞ୍ଜେଇ ଅଣାଯାଇଥିଲା ଏବଂ ସିଲଭାସାରେ କାହାକୁ ଦିଆଯାଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତଙ୍କ ନାମରେ ୨୦୨୫ ମସିହାରେ ମଧ୍ୟ ଭିଲାଡ ଥାନାରେ NDPS ଆକ୍ଟ ଅଧୀନରେ ଅନ୍ୟ ଏକ ମାମଲା ରହିଥିଲା।