ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (ପିଏମ୍‌ଏୱାଇ-୨.୦) କାର୍ଯ୍ୟାନ୍ବୟନରେ ଓଡ଼ିଶା ଦେଶସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଯୋଜନାର ସଫଳ ପରିଚାଳନାରେ ରାଜ୍ୟ କ୍ରମାଗତ ଭାବେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି।

ସୂଚନାନୁସାରେ, ସେପ୍ଟେମ୍ବର ୨୦୨୪ରେ ପିଏମ୍‌ଏୱାଇ-୨.୦ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଗ୍ରେ ରହିଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ ୨୪,୬୨୫ଟି ଘର ମଞ୍ଜୁର ହୋଇଥିବାବେଳେ, ସେଥିରୁ ୨୩,୪୬୪ଟି ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ସମାପ୍ତ ହୋଇଛି।

୨୦୨୬ ମେ’ ୫ ତାରିଖ ସୁଦ୍ଧା ୩,୧୩୪ଟି ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, ୨,୦୦୮ଟି ଘରର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହୋଇସାରିଛି। ଅନ୍ୟାନ୍ୟ ଘର ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଲକ୍ଷ୍ୟ ପୂରଣ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ଅବଶିଷ୍ଟ ଲକ୍ଷ୍ୟଗୁଡ଼ିକୁ ସମୟସୀମା ପୂର୍ବରୁ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଗୁଣାତ୍ମକ ନିର୍ମାଣ, ସମୟୋପଯୋଗୀ କାର୍ଯ୍ୟ ସମ୍ପାଦନ ଓ ସହରାଞ୍ଚଳର ଯୋଗ୍ୟ ଗରିବ ପରିବାରଙ୍କୁ ଶୀଘ୍ର ଘର ସୁବିଧା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।