କଟକ:
Orissa High Court ବେଆଇନ ଭାବେ ଭାରତରେ ରହୁଥିବା ବିଦେଶୀ ନାଗରିକ ଓ ଅବୈଧ ପ୍ରବାଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି କରିଛନ୍ତି। ଫୌଜଦାରୀ ମାମଲାରେ ଧରାପଡୁଥିବା ବିଦେଶୀ ନାଗରିକଙ୍କ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ନୀତି ନଥିବାରୁ ସୃଷ୍ଟ ଅସଂଗତି ଓ ଅସୁବିଧାକୁ ଦୂର କରିବା ଲକ୍ଷ୍ୟରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ କହିଛନ୍ତି, ଯଦି କୌଣସି ବିଦେଶୀ ନାଗରିକଙ୍କ ପାଖରେ ବୈଧ ପାସପୋର୍ଟ କିମ୍ବା ଭିସା ନଥାଏ, କିମ୍ବା ତାହାର ଅବଧି ଶେଷ ହୋଇଯାଇଥାଏ, ତେବେ ସେମାନଙ୍କ ବିରୋଧରେ Foreigners Act ସହ ଅନ୍ୟାନ୍ୟ ପ୍ରୟୋଜ୍ୟ ଆଇନ ଅନୁସାରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରାଯିବ।
ମାମଲା ପଞ୍ଜୀକରଣ ପରେ ପୁଲିସ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବ ଏବଂ ତଦନ୍ତକୁ ଶୀଘ୍ର ସମ୍ପୂର୍ଣ୍ଣ କରିବ। ଅଦାଲତରେ ହାଜର କରାଯାଇବା ପରେ ଜାମିନ ଆବେଦନ ଦାଖଲ ହେଲେ ତାହାର ତ୍ୱରିତ ଶୁଣାଣି କରାଯିବ। ଯଦି ଜାମିନ ଖାରଜ ହୁଏ, ତେବେ ଅଭିଯୁକ୍ତଙ୍କୁ ମୂଳ ମାମଲାର ରାୟ ପର୍ଯ୍ୟନ୍ତ ସାଧାରଣ ଜେଲରେ ରଖାଯିବ।
ଯଦି ଜାମିନ ମଞ୍ଜୁର ହୁଏ, ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ସେ ବିଷୟରେ ସୂଚିତ କରାଯିବ, ଯାହାଦ୍ୱାରା ଆବଶ୍ୟକ ସ୍ଥଳେ ବିଦେଶୀ ଆଇନ ଅନୁସାରେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରାଯାଇପାରିବ। ଜାମିନ ମଞ୍ଜୁର ସମୟରେ Frank Vitus vs NCB ମାମଲାରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।
ହାଇକୋର୍ଟ ମହିଳା ଓ ଶିଶୁଙ୍କ ପ୍ରସଙ୍ଗରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଯଦି ଅବୈଧ ପ୍ରବାଶୀ ଜଣେ ମହିଳା କିମ୍ବା ଶିଶୁ ସହିତ ମହିଳା ହୋଇଥାନ୍ତି, ତେବେ ସେମାନଙ୍କୁ ହୋଲ୍ଡିଂ କିମ୍ବା ଡିଟେନସନ ସେଣ୍ଟରରେ ରଖାଯିବ। ମହିଳା ଓ ଶିଶୁଙ୍କ ପାଇଁ R.D. Upadhyay case ଅନୁସାରେ ସୁବିଧା ଯୋଗାଇ ଦିଆଯିବ।
ସେହିପରି ରାଜ୍ୟ ସରକାରଙ୍କୁ ସମସ୍ତ ଜିଲ୍ଲାରେ ମଡେଲ ଡିଟେନସନ କିମ୍ବା ହୋଲ୍ଡିଂ ସେଣ୍ଟର ସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ର ମଡେଲ ଡିଟେନସନ ସେଣ୍ଟର ମାନୁଆଲ ଅନୁସରଣ କରିବାକୁ ମଧ୍ୟ କୁହାଯାଇଛି।
ଏହି ରାୟ Justice Gaurishankar Satapathyଙ୍କ ଖଣ୍ଡପୀଠ ଆବୁ ସାହିକ ଓରଫ ସହିଦ ଓରଫ ଆବୁ ସଇଦ ହୱଲଦାରଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ପ୍ରଦାନ କରିଛନ୍ତି।
ମାମଲାରେ ଜଡିତ ବଙ୍ଗଳାଦେଶୀ ନାଗରିକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଶୁଣାଣି ବେଳେ ସେ କୌଣସି ସନ୍ତ୍ରାସବାଦୀ କିମ୍ବା ଭାରତବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ନଥିବା ସ୍ପଷ୍ଟ ହୋଇଥିଲା। ଏହା ସହ ନିମ୍ନ ଅଦାଲତରେ ମାମଲାର ଟ୍ରାୟାଲ ଆରମ୍ଭ ହୋଇନଥିବାକୁ ବିଚାରକୁ ନେଇ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ଉକ୍ତ ବ୍ୟକ୍ତି ୧୯୯୧ରେ ବେଆଇନ ଭାବେ ଭାରତକୁ ପ୍ରବେଶ କରି ପରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ବସବାସ କରୁଥିଲେ। ୨୦୦୧ରେ ସେ ସ୍ଥାନୀୟ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ପରେ ଭୋଟର କାର୍ଡ, ଆଧାର, ପାନ ଓ ପାସପୋର୍ଟ ଭଳି ଦସ୍ତାବେଜ ମଧ୍ୟ ହାସଲ କରିଥିଲେ। ୨୦୨୫ ସେପ୍ଟେମ୍ବର ୫ରେ ପୁଲିସ ତାଙ୍କୁ ଗିରଫ କରିଥିଲା।




