ଭୁବନେଶ୍ୱର: ବହୁ କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଠାରୁ କୌଣସି ଆଶ୍ୱସ୍ତି ନମିଳିବାର ମାତ୍ର କିଛି ଦିନ ପରେ, ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ରବିବାର ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାୟ ୧୦,୦୦୦ରୁ ଅଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ପଦ୍ମ ଦଳରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨ ତାରିଖରେ ହାଇକୋର୍ଟ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତ ଓ କୋର୍ଟ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ। ଏଥିସହ ଆସନ୍ତା ୬ ମାସ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର କିଛି ଦିନ ପରେ ସେ ବିଜେପିର ହାତ ଧରିଛନ୍ତି।
କ’ଣ ରହିଛି ଅଭିଯୋଗ?
ସିବିଆଇର ସୂଚନା ଅନୁଯାୟୀ, ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀ ସିସୋର ଗ୍ରୁପ୍ର ଆତ୍ମସାତ ହୋଇଥିବା ପାଣ୍ଠି ସହିତ ଜଡ଼ିତ ଏକ ୨୫ ଲକ୍ଷ ଟଙ୍କାର ଜମି କାରବାରରେ ସମ୍ପୃକ୍ତ ଥିଲେ। ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଏବଂ ବିଶ୍ୱାସଘାତକତା ଭଳି ଗମ୍ଭୀର ଅଭିଯୋଗ ରହିଛି। ଏହି ମାମଲାରେ ସିବିଆଇ ୨୦୧୭ ମସିହାରେ ତାଙ୍କୁ ଗିରଫ କରିଥିଲା ଏବଂ ୨୦୧୮ରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ୨୦୨୨ ମସିହାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ତାଙ୍କର ୩.୯୨ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଥିଲା।
ଚଳିତ ବର୍ଷ ଆରମ୍ଭରେ ଦଳୀୟ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିରୋଧ କରି ଶୃଙ୍ଖଳାଗତ ଆଖ୍ୟା ପାଇ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଭାତ। ତାଙ୍କର ବିଜେପି ସାମିଲ ହେବା ନେଇ ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଏମିତି ଅନେକ ଲୋକ ଆସିବେ ଓ ଯିବେ। ଏହିପରି ଅନେକ ‘ପଚା ବାଇଗଣ’ ଦଳକୁ ଆସୁଛନ୍ତି ଏବଂ ଯାଉଛନ୍ତି।” ଏହା ଦ୍ୱାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଦଳ ଆଗକୁ ଆହୁରି ମଜବୁତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।




