ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ରାଜ୍ୟ ପୁଲିସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୪ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍‌ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଯାତ୍ରାପଥ ଓ କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୁଲିସ, ରେଳବାଇ ଓ ସାଧାରଣ ପ୍ରଶାସନ ମଧ୍ୟରେ ସୁଦୃଢ଼ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜୋର ଦିଆଯାଇଛି। ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସହଯୋଗରେ ଦାୟିତ୍ୱ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାରେ କୌଣସି ତ୍ରୁଟି ନ ରହିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମ ସ୍ଥଳ ଏବଂ ଭିଭିଆଇପି ଯାତାୟାତ ମାର୍ଗରେ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯିବା ସହ ଆଣ୍ଟି-ସାବୋଟାଜ୍ ଯାଞ୍ଚ ଓ ଅନ୍ୟାନ୍ୟ ବୈଷୟିକ ସୁରକ୍ଷା ପରୀକ୍ଷା କରାଯିବ।

ରେଳ ସୁରକ୍ଷା ଉପରେ ବିଶେଷ ନଜର

ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ରେଳପଥରେ ପାଟ୍ରୋଲିଂ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ଲେଭେଲ୍ କ୍ରସିଂରେ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ରେଳ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରି ସ୍ୱତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯାଉଛି।

ବୈଠକରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି

ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର୍. ପି. କୋଚେ, ଅତିରିକ୍ତ ଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଡିଜି (ଏସଏପି) ରାଜେଶ କୁମାର, ଭୁବନେଶ୍ୱର-କଟକ ପୁଲିସ କମିଶନର ଡ଼. ଦେବଦତ୍ତ ସିଂହ, ପୂର୍ବତଟ ରେଳବାଇର ପ୍ରିନ୍ସିପାଲ୍ ଚିଫ୍ ସିକ୍ୟୁରିଟି କମିଶନର ଆଲୋକ ଭୋରା, ଆଇଜିପି (କେନ୍ଦ୍ରାଞ୍ଚଳ) ସତ୍ୟଜିତ୍ ନାଏକ ଓ ଏସପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।