ଭୁବନେଶ୍ୱର: ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ମୂଲ୍ୟବାନ ଅଳଙ୍କାର ଓ ସାମଗ୍ରୀର ଗଣତି ଏବଂ ଓଜନ ପ୍ରକ୍ରିୟା ଶୁକ୍ରବାର ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ମୋଟ ୧୦୩ ଘଣ୍ଟା ୫୦ ମିନିଟ୍ ଧରି ଗଣତି ଓ ଓଜନ କାର୍ଯ୍ୟ ଚାଲିବା ପରେ ଏହି ପର୍ଯ୍ୟାୟରେ ବିରାମ ଦିଆଯାଇଛି। ଆସନ୍ତା ଡିସେମ୍ବର ୧୦ ତାରିଖ ପରେ ଏହି ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ସମ୍ପର୍କରେ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ପୂର୍ବାହ୍ନ ୧୧ଟା ୦୮ ମିନିଟ୍‌ରୁ ସନ୍ଧ୍ୟା ୫ଟା ୫୭ ମିନିଟ୍ ପର୍ଯ୍ୟନ୍ତ ଅର୍ଥାତ୍ ୬ ଘଣ୍ଟା ୪୯ ମିନିଟ୍ ଧରି ଗଣତି ଓ ଓଜନ କାର୍ଯ୍ୟ ଜାରି ରହିଥିଲା। ଏହାକୁ ମିଶାଇ ସମୁଦାୟ ଗଣତି ଅବଧି ୧୦୩ ଘଣ୍ଟା ୫୦ ମିନିଟ୍‌ରେ ପହଞ୍ଚିଛି। ପୂର୍ବରୁ ଗୁରୁବାର ସୁଦ୍ଧା ୯୭ ଘଣ୍ଟା ୧ ମିନିଟ୍ ଧରି ଗଣତି ଓ ଓଜନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଗଣମାଧ୍ୟମକୁ ସମ୍ବୋଧିତ କରି ଡଃ ପାଢ଼ୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁଯାୟୀ ଏବଂ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିଚାଳିତ ହେଉଛି। ଗଣତି ଓ ତାଲିକା ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ସେବାୟତ, ବିଭିନ୍ନ ନିଯୋଗ, ପରିଚାଳନା କମିଟି ସଦସ୍ୟ ଏବଂ ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି।

ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି ଯେ, ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନଭଣ୍ଡାର ତାଲିକା ସହିତ ବର୍ତ୍ତମାନର ସାମଗ୍ରୀକୁ ମେଳ କରାଯାଉଛି ଏବଂ ସମଗ୍ର କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁକିଛି ଶୃଙ୍ଖଳିତ ଭାବେ ହେଉଥିବା ବେଳେ ଗଣତି ଓ ଇନଭେଣ୍ଟ୍ରି ପ୍ରକ୍ରିୟାକୁ ସଠିକ୍ ଭାବେ ଶେଷ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆଉ କେତେ ଦିନ ଲାଗିବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ, କାରଣ ଏହା ଏକ ଦୈବୀ କାର୍ଯ୍ୟ ଏବଂ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସେ ମତ ଦେଇଛନ୍ତି। ଡିସେମ୍ବର ୧୦ ପରେ ପରବର୍ତ୍ତୀ ପର୍ଯ୍ୟାୟ ତାରିଖ ଘୋଷଣା କରାଯିବ। ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୂଲ୍ୟବାନ ରତ୍ନ ଓ ଅଳଙ୍କାର ସୁରକ୍ଷିତ ରହିଛି।